କ୍ଷୁଦ୍ର ଗଳ୍ପ – ପୁରୁଣା ଦିନର କଥା

By Binay Mohapatra

131
Image may contain: 1 person, eyeglasses, stripes and closeup
Binay Mohapatra                     

ଗାଆଁମୁଣ୍ଡର ଏଇ ବରଗଛ ମୂଳେ ଠିଆହୋଇ ଡାହାଣକୁ ଦେଖିଲେ ଯେଉଁ ଅଙ୍କାବଙ୍କା ଧୂଳିଧୂସରିଆ ସଡକଟା ଦିଶେ ସେଇଟା ସହରଆଡକୁ ଯାଏ, ଆଉ ବାଆଁକୁ ଦେଖିଲେ, ଟିକିଏ ଦୂରରେ ଯେଉଁ ନଡିଆବଣଟା ଦିଶେ, ସେଇଟା ସୁଦର୍ଶନ ବାବାଙ୍କ ଆଶ୍ରମ, (ସେଇଟା ଆଉ ଗୋଟିଏ କହାଣୀ, ପରେ କେବେ  କହିବି, ଶୁଣିବେ) ସେଇ ଆଶ୍ରମର ପାଚେରୀ ପର୍ଯ୍ୟନ୍ତ ଆମ ଗାଆଁ । ଏଇଠି ଠିଆ ହୋଇ ଡାକିଲେ, ଗାଆଁ ମୁଣ୍ଡରେ ଥିବା ସନିଆ ରାଉତ ଘରୁ କେହି ନା କେହି ଓ’କରି ଜବାବ ଦେବ । ଗାଆଁରେ ପୁନିଅଁ ପର୍ବରେ ମେଳା ମଉତ୍ସବ ସମୟର ଗହଳି ଚହଳି ଏ ଯାଏ ଶୁଭେ । କାହା ଘରେ ଝଗଡା ହେଉଥିଲେ ଏଇଠି ବସି କହିହେବ କାହା ସାଙ୍ଗରେ କାହାର ଝଗଡା ହେଉଛି । କେଉଟ ସାହିର ସେଇ ରାଧା ଅପା ବାଡିରେ କାହା ଗାଈ ପଶିଗଲେ ସେ ରଡିଛାଡି ଯୋଗଣୀଖିଆ, ରଇଜଳା କହି ଯେତେକ ଗାଳିକରେ, ସବୁ ଏଇଠି ବସିକି ସ୍ପଷ୍ଟ ବୁଝିହୁଏ । ଲାଉଡସ୍ପିକର ପରି ପାଟିଖଣ୍ଡେ ତାର ।

ବିତିଗଲା ଦିନର ସବୁ କାହାଣୀ ଏଇ ବରଗଛ ଦେଖିଛି, ସବୁ ଘଟଣାର ମୂକସାକ୍ଷୀ ଏଇ ବୁଢା ବରଗଛଟା । ଆଗରୁ ତା ମୂଳର ଏଇ ଚବୁତରା ପାଖରେ କତେ ଯେ ଭିଡ ହେଉଥିଲା, ସକାଳେ ଦି’ପହରେ ସଂଜରେ ବି । ଏଇଠି ବସି ଗାଆଁର ଭେଣ୍ଡିଆ ସବୁ ତାସ ଲୁଡୁପାଲି, ପିଲାଏ ସାପ ନିଶୁଣୀ ଖେଳ ଖେଳୁଥିଲେ, ବୁଢାଏ ବସି ପଶାପାଲି ଜମଉଥିଲେ । ଦିନେ ଦିନେ ତ ଜାଗା ପାଇଁ ଟୋକା ଆଉ ବୁଢାମାନଙ୍କ ଭିତରେ ଝଗଡା ବି ହୋଇଯାଏ । ଏଇଟା ଆମର ଜାଗା ତମେ କଣ ଜାଣିନ, ଏଇଠି ବସିଗଲ ଖେଳିବାକୁ ? ସତରେ ଯେମିତି ସମସ୍ତଙ୍କ ପାଇଁ ବସିବାକୁ ଅଲଗା ଅଲଗା ପଟା କବଲା ମିଳି ଯାଇଛି । ଗାଆଁରେ ଏମିତି ହୁଏ, ଯେମିତି ସହରରେ ହାଟ ବଜାରରେ ଠେଲା ବାଲାଙ୍କର ଠିଆ, ଯିଏ ଯେଉଁଠି ଠିଆହୁଏ, ସେ ଯାଗା ତାଙ୍କ ପାଇଁ ରିଜର୍ଭ, ଆଉ ସେଇଠି ଅନ୍ୟ କେହି ଠିଆହେବାଟା ସତରେ ବେଆଇନ । ହେଲେ ସେଇଦିନ ଆଉ ନାହିଁ । ପାଠ ଶାଠ ପଢି ଗାଆଁର ଯୁବକ ଯେତେକ ଚାକିରୀ ବାକିରୀ ପାଇଁ ସହର ଚାଲିଗଲେ ଯେ ଆଉ ଗାଆଁକୁ ଫେରିଲେନି, ଫେରିବାକୁ ମନବି ବଳାନ୍ତି ନାହିଁ । ସହରରେ ଘରଦୁଆର କରି ସହରୀଆ ବାବୁ ହୋଇଗଲେ । କହନ୍ତି ଧୂଳି ମାଟିଭରା ଅସନା ଗାଆଁ ଅପେକ୍ଷା ସହର କେତେ ଭଲ । ଗାଆଁରେ କେବଳ ବୁଢା ବୁଢା ଲୋକେ ଘରଦୁଆର, ଜମିବାଡିର ଚୌକିଦାରୀ କରିବାକୁ ଯାହା ରହି ଯାଇଛନ୍ତି, ପୁନିଅଁ ପର୍ବରେ ପିଲାଏ ଗାଆଁକୁ ଦି ଚାରିଦିନ ଛୁଟି ମନେଇବାକୁ ଆସନ୍ତି, ଗାଆଁ ଟିକେ ଗହଳ ଚହଳ ହୁଏ ପୁଣି ଦୁଇଦିନ ପରେ ଶୁନସାନ ନିଶ୍ଚଳ ହେଇଯାଏ । ସ୍ୱର୍ଗ ପରି ଗାଆଁ ଆଉ ଗାଆଁ ପରି ଲାଗେନି, ଘର ଦୁଆର ଗାଆଁ ରାସ୍ତା ଖାଁ ଖାଁ କରି ଗୋଡାଏ ।

ଏଇ ଗାଆଁକୁ ବାହାହେବାକୁ ଆସୁଥିବା ବରଯାତ୍ରୀଏ ଏଇଠି ଏକାଠି ହୁଅନ୍ତି, ଯେତେ ଯାକ ଗଛବାଣ ଏଇଠି ଏଇ ମେଳଣ ପଡିଆରେ ଫୁଟାନ୍ତି, ଗାଆଁ ଭିତରେ ଛଣ ଛପର ଘର ସବୁ, କାଳେ ବାଣରୁ ନିଆଁ ଲାଗିଯିବ ତେଣୁ ଗାଆଁ ଭିତରେ ବାଣଫୁଟା ମନା । ଏବେକା କଥା କିନ୍ତୁ ବଦଳି ଗଲାଣି, ଗାଆଁରେ ଏବେ ଛଣଛପର ଘର ଆଉ ଦିଶୁନି । ଇଲେକ୍ସନ ସମୟରେ ଏଇ ଗଛତଳେ କେତେ ମାମଲତ ହୁଏ, ସାହି ସାହି ଭିତରେ କେତେ ହିସାବ କିତାବ, କାହା କ୍ଲବ ପାଇଁ କେତେ ଟଙ୍କା, କେଉଁ ସାହି ଭାଗବତ ଘରକୁ କେତେ ଟଙ୍କା କି କୋଉ ଠାକୁରଘର ପାଇଁ କେତେ ତାର ହିସାବ ଏଇଠି ହୁଏ । ଦିଆନିଆ ତ ରାତି ଅନ୍ଧାରରେ ହୁଏ । ପଇସା ନେଇ ଲୋକେ ଭୋଟ ବିକନ୍ତି ଆଉ ନେତାଏ କିଣନ୍ତି, ପୁଣି ଜିତି ଗଲା ପରେ ଜନତାଙ୍କୁ ଭୁଲି ଯାଆନ୍ତି, ମନେ କାହିଁକି ରଖିବେ ଯେ, ପଇସା ଦେଇ ତ ଭୋଟ କିଣିଛନ୍ତି ! ପଇସାଦେଇ ଯେଉଁଠି ଭୋଟ କିଣାବିକା ହୁଏ, ସେଇଠି ଜନସେବା କିମ୍ବା ଜନତାର କଥା ଭାବିବାର ପ୍ରଶ୍ନ କେଉଠି ଆସିଲା ? ଲୋକେ ଆଜି ପର୍ଯ୍ୟନ୍ତ ନିଜର ଅଧିକାର କିମ୍ବା ଭୋଟର ଶକ୍ତିକୁ ବୁଝିପାରିଲେନି । କେତେଟା ଟଙ୍କା କି ବୋତଲେ ମଦ ବଦଳରେ ନିଜର ଅଧିକାର ଏବ ଶକ୍ତିକୁ ବିକିଦିଅନ୍ତି । ଗୁଣ୍ଡା, ମଦ୍ୟପ ଏବଂ ଅଯୋଗ୍ୟ ନେତାଙ୍କ ହାତରେ ଶାସନ ସମ୍ପିଦିଅନ୍ତି ।

ଏଇ ବରଗଛ କେତେ ଯୁଗରୁ ଏଇଠି ଏମିତି ଠିଆ ହୋଇ ସବୁ ଦେଖିଛି, କେଉଁ ଦିନ କେଉଁ ଘରକୁ ନୁଆବୋହୁ ହୋଇ କିଏ ଆସିଥିଲା, ଗାଆଁ ଛାଡି ସହରକୁ କିଏ କିଏ କେବେ କେବେ ଚାଲିଗଲେ, ସବୁ ହିସାବ ତାରି ପାଖରୁ ମିଳିବ, କହି ପାରୁଥିଲେ ଆଜି ସେ କହି ଯାଆନ୍ତା ଏ ଗାଆଁର ଇତିହାସ । ଜମିଦାରଙ୍କ ଲେକେ ଏଇ ଗଛତଳେ କେମିତି ଖଜଣା ଅସୁଲ କରୁଥିଲେ, କି ଇଂଗ୍ରଜୀ ସିପାହୀ ଏଇ ଗଛରେ ବାନ୍ଧି କେମିତି ନିଧି ମାଷ୍ଟ୍ରଙ୍କୁ ନିସ୍ତୁକ ପିଟିଥିଲେ, ନିଧିମାଷ୍ଟ୍ରଙ୍କ ଅପରାଧ ଏତିକିଥିଲା, ସେ ସ୍କୁଲ ପିଲାଙ୍କୁ ଗାନ୍ଧୀ ନେହେରୁଙ୍କ ସତ୍ୟାଗ୍ରହ ଆନ୍ଦୋଳନ କଥା କହି ଅଂଗ୍ରେଜୀ ସରକାରଙ୍କ ବିରୁଦ୍ଧରେ ମତେଇ ଥିଲେ । ସେଇ ମାଡ ପରେ ନିଧି ମାଷ୍ଟ୍ରେ ଚାକିରୀ ଛାଡି କଂଗ୍ରେସୀ ହୋଇଗଲେ, ଗାଆଁ ଗାଆଁ ବୁଲି ଲୋକଙ୍କୁ ସତ୍ୟାଗ୍ରହ ପାଇଁ ଏକାଠି କରୁଥିଲେ । କେତେଥର ଜେଲ ଗଲେ ତାର ହିସାବ ନାହିଁ । (ସେ ତ ଆଉ ଏକ କହାଣୀ କେବେ ପରେ ଶୁଣିବେ) ।

ଏଇ ଗଛ ପାଖ ପଡିଆଟାରେ ପିଲାଏ ଦି’ପହରୁ ସଂଧ୍ୟା ଯାଏ କବାଡି, ଗୁଲିଦଣ୍ଡା ଖେଳନ୍ତି ବର୍ଷ ସାରା, ଏବେ ସେସବୁ ଖେଳ ହୁଏନା ଏଇଠି, ପଞ୍ଝାଏ କ୍ରୀକେଟ ଖେଳନ୍ତି, ଆଉ ପଞ୍ଝାଏ ଖେଳଦେଖି ହୋହଲ୍ଲା କରନ୍ତି । ଏଇଟା ନାଆଁ ମେଲଣ ପଡିଆ, ପଡିଆଟା ଏମିତି ସାରାବର୍ଷ ଖାଲି ପଡିଥାଏ । ଇଲେକ୍ସନ ବେଳେ ନେତାଏ ଏଇଠି ପେଣ୍ଡାଲ ବାନ୍ଧନ୍ତି, ଜିତେଇ ଦେଲେ ଗାଆଁ ପାଇଁ କଣ କରିବେ ଏଇଠି ଠିଆହୋଇ ମାଇକ୍ ରେ କୁହନ୍ତି । ଏଇ ଗାଆଁ ରାସ୍ତାଟାକୁ ପକ୍କାରାସ୍ତା କରିଦେବେବେ ବୋଲି ପିଲାଟି ଦିନରୁ ଶୁଣୁଛି, କେତେ ସରକାର ବଦଳି ଗଲେଣି, ହେଲେ ଏଇ ରାସ୍ତା ଏବେ ବି ବର୍ଷାଦିନେ କାଦୁଅ ପଚ୍ ପଚ୍ ହୋଇଯାଏ ଆଉ ଖରାଦିନେ ଧୂଳି ଉଡାଏ । ଏଇ ମେଲଣ ପଡିଆଟିରେ ଖାଲି ଦୋଳ ସମୟରେ ହପ୍ତାଏ ପାଇଁ ଭିଡହୁଏ । ଦାଶଘର ପୁରିଆନ୍ନା ମୂଲିଆ ଲଗାଇ ପଡିଆଟାକୁ ସଫାସୁତୁରା କରାନ୍ତି । ପୁରିଆନ୍ନାଙ୍କ ପୁରାନାମଟା ପୁରନ୍ଦର ଦାଶ, ବାମୁଣିଆ ଲୋକ ତେଣୁ ସଟକଟ କରି ତାଙ୍କୁ ପୁରନ୍ଦର ନନା ଡାକୁ ଡାକୁ ନ ସାଙ୍ଗରେ ନା ଏମିତି ମିଶି ଗଲେ ଯେ ନ୍ନା ହେଇ ପୁରିଆନ୍ନା ହେଇଗଲେ ।

ସେକଥା ଛାଡ, କେଇବର୍ଷ ଆଗରୁ ପୁରିଆନ୍ନାଙ୍କ ଜେଜେ ମକରନ୍ଦ ଦାଶ ଜମିଦାର ସାହାବଙ୍କ କୋଠୀରେ ଯୋଉ ରାଧାମାଧବ ମନ୍ଦିର, ସେଇଠି ପୂଜାରୀ ଥିଲେ । ଜମିଦାର ସାହାବଙ୍କ ବଡଭଉଣୀ ଜେମାମଣି ବାଲ୍ୟବିଧବା ଥିଲେ, ତାଙ୍କରି ପାଇଁ ବୁଢାଜମିଦାର ସେ ମନ୍ଦିରଟି ତୋଳାଇଥିଲେ । ଜେମାମଣି ରାଧାମାଧବଙ୍କର ପରମ ଭକ୍ତ ଥିଲେ, ଦିନରେ ତିନି ଓଳି ପୂଜାପାଠରେ ଲିନ ରହୁଥିଲେ । କର୍ତ୍ତିକ ମାସ ସାରା ହବିସ୍ୟନ୍ନ ଏଇ ମନ୍ଦିରରେ କରି ଦିନସାରା କାର୍ତ୍ତିକ ମହାତ୍ମ୍ୟ ଭାଗବତ ପାଠରେ ବିତେଇ ଦେଉଥିଲେ । ସଂଧ୍ୟାପରେ ଆକାଶଦୀପ ଜାଳୁଥିଲେ । ମକରନ୍ଦ ଦାଶଙ୍କ ପୂଜା ପାଠରେ ସନ୍ତୁଷ୍ଟ ହୋଇ ଜେମାମଣି ଜମିଦାରଙ୍କୁ କହି ତାଙ୍କ ଗାଆଁରେ ଗୋପୀନାଥ ମନ୍ଦିରଟିଏ ତୋଳେଇ ଦେଇଥିଲେ, ଦିଅଁଙ୍କ ନିତିକାନ୍ତି ପାଇଁ କଛି ଜମି ବି ପୁରନ୍ଦରଙ୍କ ନାଆଁରେ ପଟ୍ଟା କରି ଦେଇଥିଲେ, (ସେ ତ ଆଉ ଏକ କହାଣୀ କେବେ ପରେ ଶୁଣିବେ) ତାରି ଭିତରେ ଏଇ ମେଳଣ ପଡିଆଟା ଦାଶ ପରିବାରକୁ ମେଳଣ କରିବାକୁ ଖଞ୍ଜି ଦେଇଥିଲେ, ସେବେଠୁ ଫି ବର୍ଷ ଏଇଠି ମେଲଣ ହୁଏ, ଆଖ ପାଖ ସାତଟା ଗାଆଁର ଠାକୁର ହୋଲି ଖେଳିବାକୁ ଏଇଠି ଜମା ହୁଅନ୍ତି । ଘଣ୍ଟ କରତାଳ, ଭଜନ କୀର୍ତ୍ତନରେ କମ୍ପିଉଠେ ଚଉଦିଗ, ପାର୍ବଣମୂଖର ହୋଇଉଠେ ଚାରିଦିଗ ।

ମେଲଣ ପାଇଁ ଭଲ ମେଳାଟିଏ ଲାଗେ ଏଇଠି, ମେଳା ସମୟରେ ଦୋକାନ ବଜାରପାଇଁ ପଡିଆଟାର ଗୋଟେ ପାଖକୁ ଛୋଟ ଛୋଟ ଦୋକାନ ଜାଗାରେ ବାଣ୍ଟି ଦିଆଯାଏ, ଦୋକାନୀ ମାନେ ସେଇ ଜାଗା ଖଣ୍ଡ ଖଣ୍ଡକ ପାଇଁ ଦାଶ ଘରକୁ ଟିକସ ଦିଅନ୍ତି । ଏଇଠି ସହରରୁ ବେପାରୀ ଆସନ୍ତି ଦୋକାନ ବଜାର ଲାଗେ, ଗୁଡିଆ ବରା ପିଆଜି ଗୁଲଗୁଲା ଛାଣେ, ଗୁଗୁନି ବି ମିଳେ, ପିଲାଙ୍କ ବେଲୁନ, ଚକିରି ଠାରୁ ଆରମ୍ଭ କରି ମାଇପି ଲୋକଙ୍କ ସ୍ନୋ ପାଉଡର, ଚୁଡି ଟାସିଲି ଯାଏ ସବୁ ମିଳେ । ରସ ଡେକେଚି କଢେଇ, ପିତଳ କଂସା ବାସନ ବି । ରାତିରେ ଅପେରା ହୁଏ, ଦିନରେ ମେଳା ଖୁବ୍ ଜମେ । ଏଇଠି ଜମା ହୁଅନ୍ତି ସାତ ଗାଆଁର ଲୋକେ, ଠାକୁରଙ୍କ ମେଳଣ ସାଙ୍ଗେ ସାଙ୍ଗେ ଏଇଠି ସାତ ଗାଆଁର ପୁଅ ଝିଅଙ୍କର ବି ମେଳ ହୁଏ, ଆଖିରେ ଆଖି ମିଳେ, ଛାତି ତଳେ ଅତଡା ଖସେ, ଦେହର ସବୁ ଯାକ ରକ୍ତ ଯେମିତି ମୁୁଁହରେ ଜମା ହୋଇ ଯାଏ । ଲାଲ ହେଇଯାଏ ଦୁଧଅଳତା ରଙ୍ଗର କୁଆଁରୀ କନିଆଁର ମୁହଁ । ଏଇଠି କାଳେ ଗୋବିନ୍ଦ ଭାଇ ଆଉ ଜମୁନା ଭାଉଜଙ୍କର ପ୍ରଥମ ଭେଟ ହୋଇଥିଲା, ତାପରେ ପ୍ରେମ ତାପରେ ବାହାଘର, ସେ ତ ଆଉଗୋଟେ କାହାଣୀ ପୁଣି କେବେ ପରେ କହିବି, ଶୁଣିବେ ।

Leave A Reply

Your email address will not be published.

WhatsApp chat