କେଉଁ ଆଧାରରେ କାଳିଆ ଯୋଜନାରେ ସରକାର ଆକାଉଣ୍ଟକୁ ଟଙ୍କା ପଠାଉଛନ୍ତି: ନରସିିଂହ

ଫୁସ୍‌କି ଗଲା କାଳିଆ, ଏକର ପ୍ରତି ୧୨ ହଜାର କ୍ଷତି ସହୁଛନ୍ତି ଚାଷୀ

2,057

ଭୁବନେଶ୍ୱର,୯।୨(ବ୍ୟୁରୋ): କାଳିଆ, ପିଠା ଯୋଜନା କରି ରାଜ୍ୟ ସରକାର ଚାଷୀଙ୍କୁ ଭେଳିକି ଦେଖାଉଛନ୍ତି। ଭାଗଚାଷୀ, ନାମମାତ୍ର ଚାଷୀ, ଭୂମିହୀନ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହାନ୍ତି। କେଉଁ ଆଧାରରେ କାଳିଆ ଯୋଜନାରେ ସରକାର  ଆକାଉଣ୍ଟକୁ ଟଙ୍କା ପଠାଉଛନ୍ତି। ଉକ୍ତ ଟଙ୍କା ବିଜେଡି କର୍ମୀଙ୍କ ପକେଟକୁ  ଯାଉଛି। ଗରିବ ଚାଷୀ ଏହାର ଫାଇଦା ପାଇପାରୁନାହିଁ। ଭୋଟ କିଣିବା ପାଇଁ ପରୋକ୍ଷରେ ଏଭଳି କାର୍‌ସାଦି କରାଯାଇଛି । ଏହି ଯୋଜନାର ଲାଭ ପାଇବାକୁ ସରକାର ଯେଉଁ ଉଦ୍ୟମ କରିଥିଲେ, କଂଗ୍ରେସର ଋଣଛାଡ଼ ଓ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି ଘୋଷଣା ପରେ ତାହା ଫୁସ୍‌କି ଯାଇଛି। ଗୋଟିଏ କୁଇଣ୍ଟାଲ ଧାନ ଅମଳ କରିବାକୁ ଚାଷୀଙ୍କର ୨୩୪୪ ଟଙ୍କା ଖର୍ଚ୍ଚ ହେଉଛି ବୋଲି ସରକାର ହିସାବ ଦେଇଛନ୍ତି। ଚାଷୀ ଧାନ ବିକିଲା ବେଳେ  ଏମ୍‌ଏସ୍‌ପି ମିଳୁଛି ମାତ୍ର ୧୭୫୦ ଟଙ୍କା। ଖର୍ଚ୍ଚକୁ ହିସାବକୁ ନେଲେ ୬୦୦ ଟଙ୍କା ପ୍ରତି କୁଇଣ୍ଟାଲରେ କ୍ଷତି ହେଉଛି। ଅର୍ଥାତ୍‌ ପ୍ରତି ଏକର ପିଛା ଧାନ ଚାଷ ପାଇଁ ଚାଷୀଙ୍କର ୧୨ ହଜାର ଟଙ୍କା କ୍ଷତି ହେଉଛି। କାଳିଆ ଯୋଜନାରେ ରାଜ୍ୟ ସରକାର ୫ ହଜାର ଟଙ୍କା ଦେଉଛନ୍ତି। ଆହୁରି ୭ ହଜାର ଟଙ୍କା କିଏ ଦେବ। ଛତିଶଗଡ଼ର କଂଗ୍ରେସ ସରକାର ଚାଷୀଙ୍କୁ ଋଣଛାଡ଼ କରିବା ସହ ଧାନ କୁଇଣ୍ଟାଲ ପିଛା ଏମ୍‌ଏସ୍‌ପି ୨୫୦୦ ଟଙ୍କା ଦେଉଛନ୍ତି।   ବିରୋଧୀ ଦଳ ନେତା ନରସିଂହ ମିଶ୍ର ଶୁକ୍ରବାର ୨୦୧୯-୨୦ ଆର୍ଥିକ ବର୍ଷର ୪ ମାସିିଆ ବ୍ୟୟମଞ୍ଜୁରୀ ବିଲ୍‌ ଆଲୋଚନା ବେଳେ ରାଜ୍ୟ ସରକାରଙ୍କ ଉପରେ ଏଭଳି ବର୍ଷିଛନ୍ତି।

ନରସିଂହ କହିଛନ୍ତି ଯେ, ଚାଷଜମିକୁ ଜଳସେଚନ କେବଳ କାଗଜ କଲମରେ ଚାଲିଛି। ଗତ ୫ ବର୍ଷ ଧରି ସରକାର ଡାହା ମିଛ କହିଚାଲିଛନ୍ତି। ଲୋୟର ସୁକ୍‌ତେଲ ପ୍ରକଳ୍ପକୁ ଲୋକମାନେ ବିରୋଧ କରୁଥିବା ବେଳେ କାର୍ଯ୍ୟ ଚାଲୁଥିଲା। ଲୋକମାନେ ସମର୍ଥନ କରିବା ବେଳେ ତାହା ବନ୍ଦ ରହିଛି। ଯେଉଁଠି ଜଳସେଚନ ପ୍ରକଳ୍ପ କରାଯାଇଛି ସେଠାରେ ୭୫ ଭାଗ ଜମିକୁ ପାଣି ମାଡୁନାହିଁ। ଶିକ୍ଷା, ସ୍ବାସ୍ଥ୍ୟ ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡିଛି। ପିଲାଙ୍କ ଡ୍ରେସ୍‌ କିଣାରେ ଦୁର୍ନୀତି ଭରି ରହିଛି। କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ନରସିଂହ କହିଲେ ଯେ, ଭାଜପା ପରିଚାଳିତ କେନ୍ଦ୍ରର ଏନ୍‌ଡିଏ ସରକାର ୫ ବର୍ଷ ପୂରଣ କରିବାକୁ ଯାଉଛନ୍ତି। ସୁପ୍ରିମ୍‌କୋର୍ଟ ବିଚାରପତି ଖବରଦାତା ସମ୍ମିଳନୀରେ ଗଣତନ୍ତ୍ର ବିପଦରେ ଥିବା କଥା କହିଲେ। ରିଜର୍ଭ ବ୍ୟାଙ୍କ ଗଭର୍ନରଙ୍କୁ ଇସ୍ତଫା ଦେବାକୁ ପଡିଲା। ସିବିଆଇର ଦୁଇ ବରିଷ୍ଠ ଅଫିସରଙ୍କ ଝଗଡ଼ା କେନ୍ଦ୍ରର ଅସଲ ମୁଖାକୁ ପଦାରେ ପକାଇ ଦେଇଛି। ବର୍ଷକୁ ୨ କୋଟି ନିଯୁକ୍ତି ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଥିଲେ। ୫ ବର୍ଷରେ ୧୦ କୋଟି ନିଯୁକ୍ତି ଦେବା କଥା। ଭୋଟ ପାଇବା ପାଇଁ ଲୋକମାନଙ୍କୁ ଡାହା ମିଛ କହିଛନ୍ତି। ଲୋକେ ମଧ୍ୟ ଏହାର ଜବାବ ଦେବା ଆରମ୍ଭ କରିଛନ୍ତି, ଯାହାର ପ୍ରତିଫଳନ ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଦେଖିବାକୁ ମିଳିଛି ବୋଲି ନରସିଂହ କହିଛନ୍ତି।

ବିଜେଡି ସଭ୍ୟ ଅରୁଣ ସାହୁ କହିଛନ୍ତି ଯେ, ସାରା ଦେଶରେ ରାଜନୀତିରେ ଆରୋପ-ପ୍ରତ୍ୟାରୋପର ଘଟଣା ଦେଖିବାକୁ ମିଳୁଛି। ରାଜନୈତିକ ଶୀର୍ଷ ବ୍ୟକ୍ତିମାନେ ଶାଳୀନତା ରକ୍ଷା କରୁନାହାନ୍ତି। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ଶାଳୀନତା ରକ୍ଷା କରିବା ସହ ବିକାଶମୁଖୀ ରାଜନୀତି କରୁଛନ୍ତି। କେନ୍ଦ୍ର ସରକାର ସମ୍ବିଧାନକୁ ଅଣଦେଖା କରି ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି। ରାଜ୍ୟ ସରକାର ୪ ମାସ ପାଇଁ ଲେଖାନୁଦାନ ଆଗତ କରିଛନ୍ତି। କେନ୍ଦ୍ର ସରକାର ପ୍ରଥମେ କାଳିଆ ଯୋଜନାକୁ ସମାଲୋଚନା କରିଥିଲେ, ହେଲେ ପରବର୍ତ୍ତୀ ସମୟରେ ସେହି ପ୍ରକାର ଯୋଜନା ଘୋଷଣା କଲେ। ପୂର୍ବରୁ ମମତା ଯୋଜନାକୁ ମଧ୍ୟ ଓଡ଼ିଶାରୁ ପ୍ରେରଣା ନିଆଯାଇଥିବା ଅରୁଣ କହିଛନ୍ତି। ଭାଜପା ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ, ପ୍ରଭାକରନ ଖଣି କମ୍ପାନୀ ଏବଂ ବେଦାନ୍ତ ଭଳି କମ୍ପାନୀକୁ ଫାଇଦା ଦେବା ପାଇଁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି। ମଣ୍ଡିରେ ଧାନ ପଡ଼ିରହୁଛି, ହେଲେ ମଣ୍ଡି ଖୋଲୁନାହିଁ। ଅସାଧୁ ମିଲରମାନେ ଶାସକ ଦଳକୁ ଚାନ୍ଦା ଦେଇ ଚାଷୀଙ୍କୁ ଲୁଟ୍‌ କରୁଛନ୍ତି। ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ଗ୍ରାମରକ୍ଷୀ, ଜିଆରଏସ୍‌ମାନଙ୍କ ଦୁଃଖ ସରକାର ବୁଝୁନାହାନ୍ତି। କୃଷିଋଣ ଛାଡ଼ କରାଯାଉ। କୋରାପୁଟ ଜିଲାରେ ଏଲ୍‌ ଆଣ୍ଡ ଟି କମ୍ପାନୀକୁ ଦିଆଯାଇଥିବା ୨ଟି ଖଣି ଲିଜ୍‌ ବାତିଲ କରାଯାଉ।

Leave A Reply

Your email address will not be published.

WhatsApp chat