ପ୍ରତିଶ୍ରୁତିରେ ପୋତିଲା ଭାଜପା: କ୍ଷମତାକୁ ଆସିଲେ ସ୍ଥାୟୀ ପଟ୍ଟା, ପକ୍କାଘର, ନିଯୁକ୍ତି

2,116

ପ୍ରତିଶ୍ରୁତିରେ ପୋତିଲା ଭାଜପା: କ୍ଷମତାକୁ ଆସିଲେ ସ୍ଥାୟୀ ପଟ୍ଟା, ପକ୍କାଘର, ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ଭୂମିହୀନଙ୍କୁ ଜମି ପଟ୍ଟା,  ପକ୍କାଘର ଏବଂ ନିଯୁକ୍ତି ମିଳିବ। ବର୍ତ୍ତମାନ ରାଜ୍ୟର ୨୦ ଲକ୍ଷ ଲୋକଙ୍କର ଜମି ପଟ୍ଟା ନାହିଁ | ୩୦ ଲକ୍ଷ ଲୋକଙ୍କ ମୁଣ୍ଡ ଉପରେ ଛାତ ନାହିଁ | ରାଜ୍ୟର ସବୁ ଅଞ୍ଚଳ ବେକାରୀ ସମସ୍ୟା ବଢିବାରେ ଲାଗିଛି। ତେଣୁ ଉପରୋକ୍ତ ୩ଟି ମୌଳିକ ଦାବିକୁ ଭାଜପା କ୍ଷମତାକୁ ଆସିଲେ ପୂରଣ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ଦଳ ପକ୍ଷରୁ ରାଜଧାନୀ ଭୁବନେଶ୍ୱର ସ୍ବାଧୀନତା ସଂଗ୍ରାମୀ ପଡିଆରେ ଆୟୋଜିତ ପ୍ରତିଶ୍ରୁତି ସମାବେଶରେ ଏହି କଥା କୁହାଯାଇଛି। ଦଳ ପକ୍ଷରୁ ଏନେଇ ପ୍ରତିଶ୍ରୁତି ପତ୍ରର ଲୋକାର୍ପଣ ମଧ୍ୟ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସମାବେଶର ଶୁଭାରମ୍ଭ କରିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି ଯେ, ରାଜ୍ୟରେ ୨୦୨୨ ସୁଦ୍ଧା ଜଣେ ବି ଲୋକ ରହିବ ନାହିଁ, ଯା ଘରେ ସ୍ଥାୟୀ ପଟ୍ଟା ସହ ପକ୍କା ଘର ନଥିବ | ପ୍ରତିଟି ଓଡିଆ ଯୁବକ ଯୁବତୀକୁ ରୋଜଗାର ମିଳିବ। ଦଳ ପକ୍ଷରୁ ଜାରି କରାଯାଇଥିବା  ପ୍ରତିଶ୍ରୁତି ଆବେଦନ ଫର୍ମକୁ ଦଳ ପ୍ରତି ବୁଥରେ ପହଞ୍ଚାଇବ। ବେରୋଜଗାର ଯୁବବର୍ଗ, ପଟ୍ଟା ଆଉ ପକ୍କା ଘର ପାଇବାରୁ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରିମାନେ ଏହାକୁ ପୂରଣ କରି ଦଳ ନିକଟକୁ  ପଠାଇ ପାରିବେ | ଭାଜପା ଶାସନ ଆସିଲେ ପ୍ରତି ଘରକୁ ପାଣି, ବିଜୁଳି, ପାଇଖାନା ଓ ଗ୍ୟାସ ପ୍ରଦାନ କରାଯିବ।  ଲୋକାର୍ପଣ  କରାଯାଇଥିବା ଫର୍ମ ୩ ମାସରେ ଗାଁ ଗଣ୍ଡାରେ ପହଞ୍ଚିବ। ବିଜେଡିର ଦୀର୍ଘଦିନର କୁଶାସନ ବିରୋଧରେ ଜନସାଧାରଣ ମତଦାନ କରିବେ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Leave A Reply

Your email address will not be published.

WhatsApp chat