ବିଜେଡିର ଚାଲିଯିବ କି ୭୦ ଆସନ

ଉପକୂଳ ଓଡିଶାର ୩୦ ଆସନ ସାଙ୍ଗକୁ ପଶ୍ଚିମାଂଚଳର ୪୦ଟି ଆସନ ବିପଦରେ

3,566

ଭୁବନେଶ୍ୱର, ଜାନୁଆରୀ: ପାଖେଇ ଆସୁଛି ନିର୍ବାଚନ । ଆଉ ଦିନ କେଇଟା ପରେ ଘୋଷଣା ହେବ ନିର୍ବାଚନ ତାରିଖ । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଲାଣି । ରାଜ୍ୟର ମୁଖ୍ୟ ତିନୋଟି ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜର ଅଙ୍କକଷା ଆରମ୍ଭ କରିଦେଲେଣି । ଇତି ମଧ୍ୟରେ କିନ୍ତୁ ବିଜେଡି ଶିବିର ଏବଂ ନବୀନ ନିବାସରେ ଛନକା ପଶିଲାଣି  । ପରାଜୟର ଭୟର ବାସ୍ନା ଆସିଲାଣି । କାରଣ ନବୀନଙ୍କ ବିଧାୟକ ଏବଂ ମନ୍ତ୍ରୀମାନେ ବିବିଧ ବିବାଦ ଏବଂ ଅଭିଯୋଗରେ ଫସିଛନ୍ତି । ଏହାସହ ଜନତାଙ୍କ ଆସ୍ଥାଭାଜନ ହେବାରେ ବିଧାୟକମାନେ ବିଫଳ ହୋଇଛନ୍ତି । ଅଂଚଳବାସୀ ଆଉ ଶାସକ ବିଧାୟକଙ୍କୁ ବିଶ୍ୱାସକୁ ନେଉ ନାହାନ୍ତି । ବାରମ୍ବାର ପ୍ରତାରିତ ହେବା ପରେ ସେମାନେ ବିଜେଡି ଆଡୁ ମୁହଁ ଫେରାଇଲେଣି । ଇତି ମଧ୍ୟରେ ନବୀନଙ୍କ ଚିନ୍ତା ବଢି ଯାଇଛି । ନବୀନଙ୍କ ନିଜ ଗୁଇନ୍ଦା ବିଭାଗ ମଧ୍ୟ ସତର୍କ କରି ସାରିଲାଣି । ଏପରିସ୍ଥଳରେ ଉପକୂଳ ଓଡିଶାର ୩୦ ଆସନ ସାଙ୍ଗକୁ ପଶ୍ଚିମାଂଚଳର ୪୦ଟି ଆସନ ବିପଦରେ ପଡିଛି । ବିଜେଡି ପ୍ରାର୍ଥୀ ଆସନ୍ତା ନିର୍ବାଚନରେ ଏହି ସବୁ ଆସନରୁ ପରାଜିତ ହେବା ଜଳଜଳ ହୋଇ ଦିଶୁଛି ।

ପ୍ରଥମେ ଉପକୂଳ ଓଡିଶା କଥା ଦେଖିଲେ ପୁରୀ, ଖୋର୍ଧା, ନୟାଗଡ, ଯାଜପୁର, ଅନୁଗୁଳ, ଜଗତସିଂପୁର, କଟକ, ବାଲେଶ୍ୱର, ଭଦ୍ରକରେ ବିଜେଡିର ସ୍ଥିତି ଟଳମଳ । ଏହି ଜିଲ୍ଲା ମାନଙ୍କରେ ଥିବା ବିଭିନ୍ନ ଆସନରୁ ପ୍ରାୟ ୨୦ଟି ଆସନ ବିଜେଡି ହାତରୁ ଚାଲିଯିବା ସ୍ପଷ୍ଟ । ସେହିଭଳି  ଗଂଜାମ, ଢେଙ୍କାନାଳ ଏବଂ ଅନୁଗୁଳରେ ପ୍ରାୟ ୯ରୁ ୧୦ଟି ଆସନ ବିଜେଡି ହାତରୁ ଖସିଯିବା ନିଶ୍ଚିତ । ତେବେ ଏସବୁ ଆସନ ବିଜେପି ଖାତାକୁ ଯିବା ସ୍ଥିର  । କାରଣ ଗତ ପଂଚାୟତ ନିର୍ବାଚନରେ ଏ ସମସ୍ତ ଜିଲ୍ଲାରେ ବିଜେପି ଭଲ ଭୋଟ ପାଇଥିଲା । ଆସନରେ କମ ବେଶୀ ରହିଥିଲେ ସୁଧା ଭୋଟ ପରିମାଣ ଅହେତୁକ ବୃଦ୍ଧି ପାଇଥିଲା । ଯାହା ଆଗାମୀ ସାଧାରଣ ନିର୍ବାଚନରେ ପ୍ରତିଫଳିତ ହେବ । ସେହିଭଳି ଗଂଜାମ ଜିଲ୍ଲାର ଦୁଇଟି ଆସନ ବିଜେଡି ଖାତାରୁ ଯିବା ସୁନିଶ୍ଚିତ । ଅନୁଗୁଳ ଏବଂ ଢେଙ୍କାନାଳରେ ବିଜେଡିର ପ୍ରାୟ  ୬ଟି ଗଡ ଭାଙ୍ଗିଯିବ  ।  ଭଂଜନଗର, ବ୍ରହ୍ମପୁର ସହ ପୋଲସରା ଏବଂ ଗୋପାଳପୁରରେ ବିଜେଡିର ଅନ୍ତକନ୍ଦଳ ସାଙ୍ଗକୁ ବିରୋଧୀଙ୍କ ଦବଦବା ବିଜେଡି ପାଇଁ କଂଟା ସାଜିଛି  । ନୟାଗଡରେ ବି ସମାନ ଅବସ୍ଥା । ଜିଲ୍ଲାର ଚାରୋଟି ନିର୍ବାଚନ ମଣ୍ଡଳୀରୁ ଦୁଇଟିରେ ବିଜେଡି ଗଡ ଭାଙ୍ଗିବା ଥୟ । ଏପରିକି ଜିଲ୍ଲାରେ ଥିବା ହେଭିୱେଟ ବିଜେଡି ବିଧାୟକଙ୍କ ଆସନ ବିପଦରେ  । ଖୋର୍ଧା ଏବଂ ପୁରୀରେ ମଧ୍ୟ ତିନଜଣ ଶାସକ ଦଳର ବିଧାୟକ ବିପଦରେ । ଜିଲ୍ଲା ରାଜନୀତିରେ ଦବଦବା ରଖିଥିବା ଦୁଇ ଜଣ ବିଧାୟକ ଲୋକଙ୍କ ଆସ୍ଥାଭାଜନ ହୋଇପାରି ନାହାନ୍ତି । ଅନେକ ବିବାଦରେ ଫସିଛନ୍ତି । କେତେବେଳେ କର୍ମୀଙ୍କୁ ମାଡ ଘଟଣା ହେଉ ଅବା ପୋଲିସକୁ ଆକ୍ରମଣ ସଦାବେଳେ ଜିଲ୍ଲାର ଜଣେ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ କୋପ ଦୃଷ୍ଟିରେ ରହିଛନ୍ତି । ପୁରୀରେ ମଧ୍ୟ ପିପିଲି ଘଟଣା, ଜଗନ୍ନାଥଙ୍କ ସେବାରେ ବିଘ୍ନ ବିଜେଡି ବିଧାୟକଙ୍କୁ ଅଡୁଆରେ ପକାଇଛି । ଯାହାର ପ୍ରଭାବ ନିର୍ବାଚନରେ ପଡିପାରେ । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଖୋର୍ଧା ଗସ୍ତ ଏବଂ ରାଜ୍ୟବାସୀଙ୍କ ବିକାଶ ପାଇଁ ପ୍ୟାକେଜ ବିଜେଡିର ଭୋଟ ବ୍ୟାଙ୍କ ବିଗାଡିବ ।

ଗତ ସାଧାରଣ ନିର୍ବାଚନରେ ଭଦ୍ରକ, ବାଲେଶ୍ୱର, ଜଗତସିଂପୁରରେ ବିଜୁ ଜନତା ଦଳ ଭଲ ପ୍ରଦର୍ଶନ କରିଥିଲା । କିନ୍ତୁ ଏବେ ଆଉ ସେହି ସମୟ ନାହିଁ । ଜିଲ୍ଲାର ଅନେକ ନେତା, ସାଂସଦ ଚିଟପଣ୍ଡ ଦୁର୍ନୀତିରେ ଫସିଛନ୍ତି । ଏପରି କି ସିବିଆଇ ଜେରାର ସାମ୍ନା କରିଛନ୍ତି । ଯାହାର ପ୍ରଭାବ ସିଧାସଳଖ ନିର୍ବାଚନ ଉପରେ ପଡିବ । ଅଂଚଳବାସୀ ଆଉ ସେମାନଙ୍କ ବିଜେଡି ଜନପ୍ରତିନିଧିଙ୍କ ଉରସୁ ନାହାନ୍ତି । ସେମାନେ ନୂଆ ଆଶା ଖୋଜୁଛନ୍ତି । ପାରାଦ୍ୱୀପ ଆଇଓସିଏଲର ଉନ୍ନତିକରଣ ସାଙ୍ଗକୁ ବାଲେଶ୍ୱରରେ ଏମସ ଆଦି ଅନେକ ବିକାଶମୂଳକ କାର୍ଯ୍ୟ କରି କେନ୍ଦ୍ର ସରକାର ସେଠାରେ ନୂତନ ଆଶା ସୃଷ୍ଟି କରିଛନ୍ତି ।  ସେହିଭଳି କଟକ, କେନ୍ଦ୍ରାପଡା, ଯାଜପୁରରେ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗରେ ଛନ୍ଦି ହୋଇ ରହିଛନ୍ତି ବିଜେଡି ବିଧାୟକ ଏବଂ ମନ୍ତ୍ରୀ । ଏହି ଜିଲ୍ଲା ମାନଙ୍କରେ ଥିବା ମୋଟ ୨୧ଟି ଆସନରୁ ୧୦ଟି ଆସନରେ ଅନ୍ତକନ୍ଦଳ ବିଜେଡିକୁ ବ୍ୟାକଫୁଟରେ ରଖିବ । କୋରାପୁଟ, କନ୍ଧମାଳ, ମାଲକାନାଗିରିରେ ମଧ୍ୟ ସମାନ ପରିସ୍ଥିତି ।

ପଶ୍ଚିମ ଓଡିଶାରେ ଶାସକ ଦଳର ଅବସ୍ଥା ଆହୁରି ଦୟନୀୟ । ଯାହାର ଉଦାହରଣ ଗତ ପଂଚାୟତ ନିର୍ବାଚନରେ ଦେଖିବାକୁ ମିଳିଥିଲା । ବିଜେଡି ନିଜ ଗଡ ହରାଇଥିଲା । ବିଜେପି ବିଭିନ୍ନ ଅଂଚଳକୁ ଧସେଇ ପସିଥିଲା । ଛିନଛତ୍ର ହୋଇ ଯାଇଥିଲେ ବିଜେଡି ବିଧାୟକ । ଏ ଯାଏଁ ରହିଛି, ଯାହାର ପ୍ରଭାବ । ସମ୍ବଲପୁର ସମେତ ବରଗଡ, ବଲାଙ୍ଗିର, ସୁନ୍ଦରଗଡରେ ବିଜେଡିର ୨୦ ଆସନ କଟିବା ପକ୍କା ହୋଇ ରହିଛି । ଯାହା ଖୋଦ ମୁଖିଆ ନବୀନ ପଟ୍ଟନାୟକ ମଧ୍ୟ ଜାଣି ସାରିଲେଣି । ଏହା ସହ ସୁନ୍ଦରଗଡ, ଦେବଗଡ, କଳାହାଣ୍ଡି ଓ ମୟୁରଭଞ୍ଜରେ ପଂଚାୟତ ନିର୍ବାଚନ ଫଳାଫଳ ବିଜେଡିର ଆଖି ଖୋଲି ଦେଇଛି । ଏ ସବୁ ଜିଲ୍ଲା ଯେ ଆଉ ବିଜେଡିର ହୋଇ ନାହିଁ ତାହା ଦର୍ଶେଇ ଦେଇଛି  । ଏହି ଜିଲ୍ଲାରୁ ୨୦ରୁ ୨୫ ଆସନ ବିଜେପି ଖାତାକୁ ଯିବା ଥୟ । ଏହି ସଂଖ୍ୟା ଆହୁରି ମଧ୍ୟ ବଢିପାରେ । ଉପକୂଳିଆ ଶାସକ ବିଧାୟକଙ୍କ ଅତ୍ୟଧିକ ମୁଣ୍ଡ ପୁରାଇବା ନୀତି ନବୀନଙ୍କ ପାଇଁ ବୁମେରାଂ ସାଜିଛି ।

ଯଦି ଏହା ହୁଏ ତେବେ ରାଜ୍ୟରୁ ବିଜେଡିର ୭୦ ଆସନ ଖସିଯିବା ନେଇ ଅନୁମାନ କରାଯାଉଛି । ଯାହା ମୁଖିଆ ନବୀନ ପଟ୍ଟନାୟକଙ୍କୁ ଚିନ୍ତାରେ ପକାଇଛି । ଭୟଭୀତ ହୋଇ ଯାଇଛନ୍ତି ନବୀନ । କଳେବଳେ କୌଶଳେ ଗଡ ରକ୍ଷା ପାଇଁ ଉଦ୍ୟମ କରିବାରେ ଲାଗିଛନ୍ତି । ବିଧାୟକଙ୍କୁ ନ ଭରସି ପ୍ରଶାସନିକ ଅଧିକାରୀଙ୍କ ଉପରେ ବେଶୀ ନିର୍ଭର କରୁଛନ୍ତି ନବୀନ ପଟ୍ଟନାୟକ । ଏହା ସହ ବିଜେପି, ନରେନ୍ଦ୍ର ମୋଦୀ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ବଢୁଥିବା ଲୋକପ୍ରିୟତା ପାଇଁ ନବୀନଙ୍କ ମନରେ ଛନକା ପଶିଛି ।

Leave A Reply

Your email address will not be published.

WhatsApp chat