୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ

ଆଞ୍ଚଳିକ ଯୁବ ସମାବେଶରେ ଯୋଗ ଦେବେ

1,267
ବାଲେଶ୍ୱର ଅଫିସ: ବାଲେଶ୍ୱରଠାରେ ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ ଆଞ୍ଚଳିକ ଯୁବ ସମାବେଶ। ଏଥିରେ ବାଲେଶ୍ୱର ସମେତ ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଜିଲାର ୨୭ହଜାର ୫ଶହ ବିଜୁ ଯୁବବାହିନୀ ସହ ପ୍ରଶାସନିକ ଅଧିକାରୀ,  କର୍ମଚାରୀ, ମନ୍ତ୍ରୀ, ଏମ୍‌ପି, ବିଧାୟକ ଏବଂ ଯୁବକର୍ମୀମାନଙ୍କୁ ମିଶାଇ ପ୍ରାୟ ୪୦ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ସମାଗମ ହେବାର ଆକଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଶନିବାର ପୂର୍ବାହ୍ନ ୧୧ଟାରେ ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଜିଲାର ନୋଡ଼ାଲ ଅଫିସର୍‌ଙ୍କ ସମେତ ବାଲେଶ୍ୱର ଏମ୍‌ପି ରବୀନ୍ଦ୍ର କୁମାର ଜେନା, ଗଣଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ଅତିରିକ୍ତ ଜିଲାପାଳ ମାନସ ରଞ୍ଜନ ପାଢ଼ୀ, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ତ୍ରିଲୋଚନ ପ୍ରଧାନ, ଉପଜିଲାପାଳ ନୀଲୁ ମହାପାତ୍ର, ଜିଲା କ୍ରୀଡ଼ାଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁବାଷ ନିଆଲଙ୍କ ସମେତ ଜିଲାର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ସଭା ସ୍ଥଳୀ, ପାର୍କିଂ ଏରିୟା, ମଧ୍ୟାହ୍ନଭୋଜନ ସ୍ଥାନ, ଟ୍ରାଫିକ୍‌ ବ୍ୟବସ୍ଥା, ପାନୀୟଜଳ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା ଉପରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା।
ପୋଲିସ ଲାଇନ୍‌ ପଡ଼ିଆକୁ ସମାବେଶର ସ୍ଥଳୀ ଭାବେ ସ୍ଥିର କରାଯାଇ ଥିବା ବେଳେ ପାର୍କିଂ ପାଇଁ ଆଇଟିଆଇ, କୁରୁଡ଼ା ଏବଂ ଏମ୍‌ସ ପଡ଼ିଆକୁ ସ୍ଥିର କରାଯାଇଛି। ସେହିପରି ଯୁବବାହିନୀଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ମଧ୍ୟାହ୍ନଭୋଜନ ମଡ଼ର୍ନ ଇଞ୍ଜିନିୟରିଂ କଲେଜ ପରିସରରେ ହେବାର ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷରେ ସୁରକ୍ଷା ସହିତ ଶାନ୍ତିଶୃଙ୍ଖଳାରେ ଯାନବାହାନ ଯା’ଆସ ପାଇଁ ୱାନ୍‌-ୱେ ଟ୍ରାଫିକ୍‌ ପ୍ରସ୍ତୁତ କରାଯାଇଛି। କୁରୁଡ଼ା ବାଇପାସ୍‌ଠାରୁ ରେମୁଣା ଗୋଲେଇରୁ ବାଲେଶ୍ୱର ଭିତରକୁ ପ୍ରବେଶ କରି ଆଇଟିଆଇ ରାସ୍ତାର କୁରୁଡ଼ା ନିକଟରେ ଜାତୀୟ ରାଜପଥକୁ ନେଇ ୱାନ୍‌ ୱେ ଟ୍ରାଫିକ୍‌ ପ୍ରସ୍ତୁତ କରାଯାଇଛି। ସେହିପରି ୫ଟି ଜିଲାର ଶ୍ରେଷ୍ଠ ‘ବିଜୁ ଯୁବବାହିନୀ’ ଏବଂ ଶ୍ରେଷ୍ଠ ‘ମୁଁ ହିରୋ’ଙ୍କୁ ସମ୍ମାନିତ ସହ ନାମୀଦାମୀ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏଥିସହିତ ଜିଲାର ବହୁ ପ୍ରକଳ୍ପ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନର ଫଳକ ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି। ବୈଠକ ପରେ ସମସ୍ତ ଅଧିକାରୀ ଏବଂ ମନ୍ତ୍ରୀ, ଏମ୍‌ପି, ବିଧାୟକ କ୍ଷେତ୍ର ପରିଦର୍ଶନ କରିଥିଲେ। ଆଞ୍ଚଳିକ ଯୁବ ସମାବେଶରେ ମୁଖ୍ୟମନ୍ତ୍ରୀଙ୍କର ଉପସ୍ଥିତିକୁ ଗୁରୁତ୍ୱ ଦେଇ ଜିଲା ପ୍ରଶାସନ ଅଧିକାରୀ ଓ ରାଜନୈତିକ ପଦାଧିକାରୀ ଚଳଚଞ୍ଚଳ ହୋଇଥିବା ପରିଲକ୍ଷିତ ହେଉଛି।
80%
Awesome
  • Design
WhatsApp chat