‘ରିୟଲିଟି ସୋ’ ବାହାନାରେ ଓଡ଼ିଶାରେ ରିୟଲ ଠକେଇ

47

ଭୁବନେଶ୍ୱର : ବିଭିନ୍ନ ସମୟରେ ଅଜଣା ନମ୍ବରରୁ ମେସେଜ୍‌ କିମ୍ବା କଲ୍‌ ଆସିବା ଫଳରେ ଲୋକମାନେ ଠକେଇର ଶିକାର ହେଉଥିବା ଖବର ଶୁଣିବାକୁ ମିଳେ । ପୁଣି ସେମିତି କିଛି ଘଟଣା ଏବେ ସମ୍ନାକୁ ଆସିଛି । ଏବେ ରିୟଲିଟି ସୋ’ ‘କୌନ୍‌ ବନେଗା କରୋଡ ପତି’ରେ ୨୫ ଲକ୍ଷ ଟଙ୍କା ଜିତିବାର ଲୋଭ ଦେଖାଇ ଲୁଟୁଛନ୍ତି କୋଟିକୋଟି ଟଙ୍କା ।

ଏପରି ଘଟଣା ଲୋକ ଲୋଚନକୁ ଆସିଲା ଯେତେବେଳେ ସମ୍ବଲପୁରର ଜଣେ ବ୍ୟକ୍ତି ଠକେଇର ଶିକାର ହେଲେ । ଏହାପରେ କ୍ରାଇମ୍‌ବ୍ରାଞ୍ଚ ଘଟଣାକୁ ଗୁରୁତ୍ୱର ସହିତ ଗ୍ରହଣ କରିଛି। ଏଭଳି ଏସ୍‌ଟିଡି କୋଡ୍‌ରେ କୌଣସି ହ୍ଵାଟସ୍‌ଆପ୍‌ କଲ୍‌ କିମ୍ବା ମେସେଜ୍‌ ଆସିଲେ, ତାକୁ ଅଣଦେଖା କରିବାକୁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସତର୍କ କରାଯାଇଥିବା ସୂଚନା ମିଳିଛି ।

ସମ୍ବଲପୁର ବରଗାଁର ଗୋବିନ୍ଦ ମିରିଗ ନାମକ ଜଣେ ବ୍ୟକ୍ତିଙ୍କ ହ୍ଵାଟସ୍‌ଆପ୍‌କୁ ଗତ ୩ ତାରିଖରେ ‘କୌନ୍‌ ବନେଗା କରୋଡ ପତି’ ପକ୍ଷରୁ ଏକ ମେସେଜ୍‌ ଆସିଥିଲା । ଏଥିରେ ଗୋବିନ୍ଦ ୨୫ ଲକ୍ଷ ଟଙ୍କାର ଲଟେରୀ ଜିତିଥିବା କୁହାଯାଇଥିଲା । କିନ୍ତୁ ଏହି ଟଙ୍କା ପାଇବାକୁ ହେଲେ ମୁମ୍ବାଇର ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ୧୬ ହଜାର ୧୦୦ ଟଙ୍କା ପଇଠ କରିବାକୁ କୁହାଯାଇଥିଲା । ଲୁଟେରାଙ୍କ କହିବା ଅନୁଯାୟୀ ଗୋବିନ୍ଦ ଏହି ଟଙ୍କା ଜମା କରିଥିଲେ । କିନ୍ତୁ ପରେ ଯେତେବେଳେ ସେମାନେ ପୁଣି ୨୫ ହଜାର ଟଙ୍କା ପଇଠ କରିବାକୁ କହିଲେ ସେତେବେଳେ ଏହି ଘଟଣା ଗୋବିନ୍ଦଙ୍କୁ ସନ୍ଦେହ ଘେରରେ ପକାଇଥିଲା ।

ପୂର୍ବରୁ ନୂଆଦିଲ୍ଲୀ ଏବଂ ବେଙ୍ଗାଲୁରୁରେ ଏଭଳି ଘଟଣା ସମ୍ନାକୁ ଆସିଥିଲା । ଅମିତାଭ ବଚ୍ଚନଙ୍କ ରିୟଲିଟି ସୋ’ ‘କୌନ୍‌ ବନେଗା କରୋଡ ପତି’ରେ ଲକି ଓ୍ୱିନର କହି ଲୁଟେରା ଏମିତି ଲୁଟୁଥିବାର ଜଣାପଡ଼ଛି । ପ୍ରଥମେ କେତେଜଣ ଓ୍ୱିନର୍‌ଙ୍କ ଫଟୋ ଏବଂ ଭିଡିଓ ପଠାଇ ଲୋକମାନଙ୍କ ବିଶ୍ୱାସ ଜିତିବାକୁ ଚେଷ୍ଟା କରୁଥାନ୍ତି ଲୁଟେରା । ଚେଷ୍ଟାରେ ସଫଳ ହୋଇଯିବା ପରେ ଲୋକମାନଙ୍କୁ ଲୁଟିବା ସହଜ ହୋଇଥାଏ । ଏହି ଲୁଟେରା ଗ୍ରୁପ ବିଶେଷ କରି ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଟାର୍ଗେଟ କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.

WhatsApp chat