ଭୟଙ୍କର ରୂପ ନେଇଛି ‘ତିତଲୀ’ | ଭୋର ୫.୩୦ ରେ ଗୋପାଳପୁର ଛୁଇଁବ ବାତ୍ୟା |

ଭୟଙ୍କର ରୂପ ନେଇଛି 'ତିତଲୀ' | ଭୋର ୫.୩୦ ରେ ଗୋପାଳପୁର ଛୁଇଁବ ବାତ୍ୟା |

660

ଭୁବନେଶ୍ୱର: ସମୁଦ୍ର ଭିତରୁ ଆହୁରି ଶକ୍ତିଶାଳୀ ହୋଇ ମାଡ଼ି ଆସୁଛି ବାତ୍ୟା ‘ତିତ୍‌ଲି’। ଗୋପାଳପୁର ବେଳାଭୂମିରେ ସମୁଦ୍ରର ଏ ଭୀମକାନ୍ତ ରୂପ ଯେମିତି, ବାରମ୍ବାର ଚେତାଇ ଦେଉଛି, କେତେ ଭୟଙ୍କର ରୂପ ନେଇପାରେ ‘ତିତ୍‌ଲି’।

ଯେଉଁ ସମୟରେ ବେଳାଭୂମି ଗହଳି ଚହଳିରେ ଫାଟି ପଡ଼ିବା କଥା, ଏବେ ସେଠି ଅଣଚାଷ ପବନର ଭୟ। ଧନଜୀବନ ସୁରକ୍ଷା ପାଇଁ ଡାକବାଜି ଯନ୍ତ୍ର ଯୋଗେ ପ୍ରଶାସନ ପକ୍ଷରୁ ପ୍ରଚାର ଚାଲିଛି। ଏଣେ ପାଖ ନୋଳିଆ ବସ୍ତିରେ ବି ଆତଙ୍କରେ ରହିଛନ୍ତି ମତ୍ସଜୀବୀଙ୍କ ପରିବାର।

ତୁହାକୁ ତୁହା ବର୍ଷା ଚାଲିଛି, ରାତି ଅଧରେ ଧୂମାଳ ପବନ ଆସିବା କଥା ଶୁଣି ଛାତିରେ ଛନକା ପଶିଲାଣି। ଫାଇଲିନ୍ ଓ ହୁଡ୍‌ହୁଡ୍‌ର କଥା ମନେ ପକାଇ କେହି କେହି କେହି ପିଲାଛୁଆ ଧରି ଆଶ୍ରୟସ୍ଥଳୀକୁ ଚାଲି ଗଲେଣି। ଯେଉଁ ସବୁ ତଳିଆ ଅଞ୍ଚଳରେ ପାଣି ପଶିବାର ଆଶଙ୍କା ରହିଛି, ସେଠାରେ ପ୍ରଶାସନ ପହଞ୍ଚି ଲୋକଙ୍କୁ ବୁଝାଇ ସ୍ଥାନାନ୍ତର କରୁଛି।

ଅନ୍ୟପଟେ ରେଡ୍ ଆଲର୍ଟ ଘୋଷଣା ପରେ ଗଜପତିରେ ବି ଆତଙ୍କର ସ୍ଥିତି  ଦେଖାଦେଇଛି। ପୂର୍ବରୁ ଫାଇଲିନ୍ ଓ ହୁଡ୍‌ହୁଡ୍ ଭଳି ପ୍ରକୃତିର କୋପ ମନରୁ ନ ଲିଭୁଣୁ ପୁଣି ଏକ ଝଡ଼ବାତ୍ୟା ଲୋକଙ୍କ ନିଦ ହଜାଇ ଦେଇଛି।

ପୁରୀରେ ବି ଜନତା ଓ ପ୍ରଶାସନ, ସମସ୍ତଙ୍କୁ ଛାନିଆ କରିଛି ତିତ୍‌ଲି। ଆକାଶରେ କଳା ବାଦଲ ସାଙ୍ଗକୁ ବେଳାଭୂମିରେ ପିଟି ହେଉଥିବା ସମୁଦ୍ରର ଅଶାନ୍ତ ଜୁଆର ଦେଖି ତୁରନ୍ତ ପର୍ଯ୍ୟଟକଙ୍କୁ ସ୍ଥାନ ଛାଡ଼ି ଚାଲିଯିବାକୁ ପରାମର୍ଶ ଦିଆଯାଇଛି। ଦିଗବାରେଣୀ ଖୁଣ୍ଟି, ଲାଇଟ୍ ହାଉସ୍ ଆଦି ସ୍ଥାନରେ ଲାଲ୍ ଝଣ୍ଡା ଲଗାଯାଇ ସମୁଦ୍ର ଭିତରକୁ ନ ଯିବାକୁ ଚେତାଇ ଦିଆଯାଇଛି। ଡଙ୍ଗା ନେଇ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ମତ୍ସଜୀବୀ ଫେରି ଆସିଲେଣି। ସମୁଦ୍ରକୂଳରେ ଘର କରି ରହୁଥିବା ପେଣ୍ଠକଟା ନୋଳିଆ ସାହି ଲୋକଙ୍କୁ ସତର୍କ କରାଯିବା ସହ ନିରାପଦ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି। ରେସ୍‌କ୍ୟୁ ଅପରେସନ୍ ଲାଗି ସମ୍ପୂର୍ଣ୍ଣ ସାଜ ସରଞ୍ଜାମ ଧରି ପୁରୀରେ ପହଞ୍ଚି ସାରିଛନ୍ତି ଏନଡିଆରଏଫ୍ ଟିମ୍।

ବନ୍ଦର ନଗରୀ ପାରାଦୀପରେ ମଧ୍ୟ  ‘ତିତ୍‌ଲି’ ପ୍ରଭାବରେ ଦିନ ତମାମ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ଚାଲିଛି। ୯୯ ମହାବାତ୍ୟାର କରାଳ ରୂପକୁ ଦେଖି ଡରି ଯାଇଥିବା ଷଣ୍ଢକୁଦ ନୋଳିଆ ବସ୍ତିର ଲୋକେ ଏବେ ପୁଣି ଏକ ବଡ଼ ବାତ୍ୟା ଆସୁଥିବା ଶୁଣି ଶଙ୍କି ଯାଇଛନ୍ତି।

ପ୍ରଶାସନ କଥା ମାନି ଏମାନେ ସମସ୍ତେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ସ୍ଥିର କରିଛନ୍ତି। ଜଗତସିଂହପୁରରେ ସକାଳୁ ବର୍ଷା ଲାଗି ରହିଛି। ବାତ୍ୟା ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ ବି ହୋଇଛି।

ସେହିଭଳି ବାତ୍ୟା ‘ତିତ୍‌ଲି’ ପ୍ରକୋପରେ ପ୍ରଭାବିତ ହେବାକୁ ଥିବା ପୁରୀ ଜିଲ୍ଲାର କୋଣାର୍କ, ବ୍ରହ୍ମଗିରି ଓ ଅସ୍ତରଙ୍ଗ ସହ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ସମେତ ଉପକୂଳବର୍ତ୍ତୀ ଅ଼ଞ୍ଚଳରେ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛି ପ୍ରଶାସନ।

Leave A Reply

Your email address will not be published.

WhatsApp chat