‘ଫେଥାଇ’ ପାଇଁ ୨ ଦିନ ସ୍କୁଲ ଛୁଟି

ଆନ୍ଧ୍ର ପ୍ରଦେଶର ଅନେକ ସ୍କୁଲକୁ ୨ ଦିନ ପାଇଁ ଛୁଟି, ୬ଜିଲ୍ଲାରେ ପ୍ରବଳ ବର୍ଷିବ

721

ଭିଶାଖାପାଟନମ୍‌,୧୬।୧୨: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଡିପ୍‌ ଡିପ୍ରେସନର ରୂପ ନେଇଛି, ସୋମବାର ସୁଦ୍ଧା ଏହା ଆନ୍ଧ୍ର ଉପକୂଳ ଛୁଇଁବ। ଏହାର ପ୍ରଭାବରେ ପାଖାପାଖି ୫ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସେସବୁ ଜିଲାରେ ହାଇ ଆଲର୍ଟ ଜାରି କରାଯାଇଛି। ଏହାସହ ଏନ୍‌ଡିଆର୍‌ଏଫ୍‌ ଟିମ୍‌ଙ୍କୁ ମଧ୍ୟ ମୂତୟନ କରାଯାଇଛି। ଗୁଣ୍ଟୁର, କୃଷ୍ଣା, ପଶ୍ଚିମ ଗୋଦାବରୀ, ପୂର୍ବ ଗୋଦାବରୀ ଓ ବିଶାଖାପାଟନମରେ ଏନ୍‌ଡିଆର୍‌ଏଫ୍‌ ଓ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ମୂତୟନ କରାଯିବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାର ବ୍ୟବସ୍ଥା କରାଯାଇଛି। ପାଣିପାଗ ବିଭାଗରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଆନ୍ଧ୍ର ପ୍ରଦେଶ, ଉତ୍ତର ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳରେ ‘ଫେଥାଇ’ ପ୍ରଭାବରେ ଘଣ୍ଟାକୁ ୪୫-୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।

ତେବେ ‘ଫେଥାଇ’କୁ ଲକ୍ଷ୍ୟକରି ଆନ୍ଧ୍ର ପ୍ରଦେଶର ଅନେକ ସ୍କୁଲକୁ ୨ ଦିନ ପାଇଁ ଛୁଟି କରି ଦିଆଯାଇଛି। କାରଣ ସୋମବାର ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶର ଅନେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ପାଣିପାଗ ବିଭାଗର ସତର୍କ ସୂଚନା ପରେ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଏସ୍ଆରସିଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳକୁ କୁହାଯାଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ୬ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ (ପ୍ରବଳ ବର୍ଷା) ଜାରି ହୋଇଛି। ୧୭ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ୧୬ରୁ ୧୮ ତାରିଖ ମଧ୍ୟରେ ଅଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହାଲ୍କା ବର୍ଷା ହୋଇପାରେ।

ଶନିବାରଠାରୁ ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ। ତେଣୁ ମତ୍ସଜୀବୀମାନେ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ସମ୍ଭାବ୍ୟ ବର୍ଷା ଦ୍ବାରା ଧାନ ଫସଲ ନଷ୍ଟ ହେବାର ଆଶଙ୍କା ରହିଥିବାରୁ ଚାଷୀକୁଳ ଚିନ୍ତାରେ ପଡ଼ିଯାଇଛି। ଏଣେ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ସତର୍କ କରାଯିବା ସହ କଟା ଯାଇ ନ ଥିବା ଧାନକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଆଣିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଜମିରେ ଶୁଖାଯାଇଥିବା ଧାନ ବିଡ଼ାକୁ ସୁରକ୍ଷିତ ସ୍ଥାନକୁ ନେବା, ଶୁଖି ଯାଇଥିବା ଧାନକୁ ଅମଳ କରିବା, ଖଳା ଓ ମଣ୍ଡିରେ ପଡ଼ି ରହିଥିବା ଧାନକୁ ପାଲ ଘୋଡ଼ାଇ ରଖିବାକୁ କୁହାଯାଇଛି।

 

Like our Fan Page to get regular news updates & SHARE in your Timeline.

Find and Join here our community OdiaForum FB Group:

Leave A Reply

Your email address will not be published.

WhatsApp chat