ନିର୍ବାଚନ ପ୍ରତିଶ୍ରୁତି ପାଳନ କରିନାହିଁ ବିଜେଡି

ପ୍ରତି ବ୍ଲକରେ ସ୍ଥାପନ ହୋଇନି ଶୀତଳ ଭଣ୍ଡାର, ୮ ଜିଲାରେ ମୋଟେ ନାହିଁ

1,331

ଭୁବନେଶ୍ୱର,୧୨।୧- ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ (ବିଜେଡି) ଦେଇଥିବା ପ୍ରତିଶ୍ରୁତି ପାଳନ କରିନାହିଁ। ରାଜ୍ୟରେ ଲଗାତର ୪ ଥର କ୍ଷମତାରେ ରହିବା ପରେ ମଧ୍ୟ ଶୀତଳ ଭଣ୍ଡାର ପରି ଏକ ମୌଳିକ ଆବଶ୍ୟକତା ପୂର୍ଣ୍ଣ କରିପାରିନାହିଁ। ଏହି ଅଭିଯୋଗ କୌଣସି ବିରୋଧୀ ଦଳ ପକ୍ଷରୁ କରାଯାଇନାହିଁ। ବିଜେଡିର ଗତ ସାଧାରଣ ନିର୍ବାଚନର ଇସ୍ତାହାର ଏବଂ ରାଜ୍ୟ ସରକାରଙ୍କ ତଥ୍ୟ ମଧ୍ୟରେ ତୁଳନାତ୍ମକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି। କୃଷି ପ୍ରଧାନ ରାଜ୍ୟ ଓଡ଼ିଶାରେ ପ୍ରତି ବ୍ଲକରେ ସରକାରୀ-ଘରୋଇ ସହଭାଗିତା(ପିପିପି) ଦ୍ୱାରା ଶୀତଳ ଭଣ୍ଡାର ସ୍ଥାପନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ରାଜ୍ୟରେ ୪୬ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଥିବା ଜଣାପଡିଛି।

ବିଜେଡି ନିଜ ଇସ୍ତାହାରର ପ୍ରଥମ ପୃଷ୍ଠାରେ ଏହି ପ୍ରତିଶ୍ରୁତି ପାଳନ କରିବା ନେଇ ଉଲ୍ଲେଖ କରିଛି। ସେହିପରି କୋରାପୁଟ, ବଲାଙ୍ଗୀର ଏବଂ କଳାହାଣ୍ଡି(କେବିକେ) ଅଞ୍ଚଳରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟ ଇସ୍ତାହାରରେ ଉଲ୍ଲେଖ କରାଯାଇଥିଲା। ହେଲେ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଭଳି କୃଷି ବିଶ୍ୱବିଦ୍ୟାଳୟ ପ୍ରତିଶ୍ରୁତି ମଧ୍ୟ ପାଣିର ଗାର ପାଲଟିଛି।  ଏହି ଦୁଇଟି ମୁଖ୍ୟ ପ୍ରତିଶ୍ରୁତିକୁ ବାଦ୍‌ ଦେଇ  ପ୍ରତି ପଞ୍ଚାୟତରେ ଗୋଦାମ ଘର କରିବାକୁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା, ହେଲେ ତାହା ମଧ୍ୟ ସବୁ ସ୍ଥାନରେ ସମ୍ଭବ ହୋଇ ନ ଥିବା ଜଣାପଡିଛି।

ରାଜ୍ୟର ୧୪ଟି ଜିଲାରେ  ଆଦୌ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହେଉନାହିଁ।

ରାଜ୍ୟରେ ମୋଟ ୩୧୪ଟି ବ୍ଲକ ରହିଛି।  ସମସ୍ତ ବ୍ଲକରେ ମୋଟ ୧୨୬ଟି ଶୀତଳ ଭଣ୍ଡାର ରହିଛି, ତନ୍ମଧ୍ୟରୁ ୮୦ଟି ଅଚଳ । ଏହି ଉତ୍ତର ଗତ ସେପ୍ଟେମ୍ବର ୧୧, ୨୦୧୮ରେ ତତ୍କାଳୀନ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ପ୍ରଦାନ କରିଛନ୍ତି। ତେଣୁ ରାଜ୍ୟରେ ମାତ୍ର ୪୬ଟି ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ଥିବା ସ୍ପଷ୍ଟ ହୋଇଯାଇଛି। ହେଲେ ନିକଟରେ କୃଷି ଭବନରେ ଜନୈକ ବୈଷୟିକ ଅଧିକାରୀ ଏହି ସଂଖ୍ୟାକୁ ୪୭ ବୋଲି ଦର୍ଶାଇଛନ୍ତି। କୃଷିମନ୍ତ୍ରୀ ଏବଂ ଅଧିକାରୀଙ୍କ ମଧ୍ୟରେ ମାତ୍ର ଗୋଟିଏ ଶୀତଳ ଭଣ୍ଡାର ତଫାତ୍‌ ରହୁଛି। ରାଜ୍ୟର ୧୪ଟି ଜିଲାରେ  ଆଦୌ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହେଉନାହିଁ। ଏହି ଜିଲାଗୁଡିକ ହେଉଛି-ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, ନୂଆପଡା,ସୋନପୁର, ଢେଙ୍କାନାଳ, ନୟାଗଡ, ଗଜପତି, ଜଗତସିଂହପୁର, କେନ୍ଦ୍ରାପଡା, ବରଗଡ, ଦେବଗଡ, ବୌଦ୍ଧ ଓ ଫୁଲବାଣୀ। ଏହି ତାଲିକାରେ ୮ଟି ଜିଲା ଏପରି ରହିଛି, ଯେଉଁ ଜିଲାରେ ଆଦୌ ଶୀତଳ ଭଣ୍ଡାର ନାହିଁ। କାର୍ଯ୍ୟକ୍ଷମ ଶୀତଳ ଭଣ୍ଡାରଗୁଡିକ ମଧ୍ୟରୁ ମାତ୍ର ୫ଟି ସରକାରଙ୍କ ନିଜସ୍ବ। ଓଡ଼ିଶାର ଅନ୍ୟତମ ଭାତହାଣ୍ଡି କୁହାଯାଉଥିବା ଜିଲା ବରଗଡରେ ସମସ୍ତ ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ନ ହୋଇ ପଡି ରହିଛି। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ କୃଷିଜାତ ସାମଗ୍ରୀ ସାଇତି ରଖିବା ପାଇଁ ୨,୧୭,୮୮୦ ମେଟ୍ରିକ୍‌ ଟନ୍‌ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ରହିଛି।

ରାଜ୍ୟର ଆବଶ୍ୟକତା ଦୃଷ୍ଟିରୁ ପ୍ରାୟ ୩ ଲକ୍ଷ ମେଟ୍ରିକ୍‌ ଟନ୍‌ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାରର ଆବଶ୍ୟକତା ରହିଛି। ଶୀତଳ ଭଣ୍ଡାର ଅଭାବରୁ ରାଜ୍ୟରେ ଆଳୁ ମିଶନ୍‌ ଫେଲ ମାରିଛି। ୨୦୧୪-୧୫ ଆର୍ଥିକ ବର୍ଷରୁ ଆଳୁମିଶନ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏକା ସାଙ୍ଗରେ ସମସ୍ତ ଜିଲାରେ ଏହି ମିଶନ୍‌ କାର୍ଯ୍ୟକ୍ଷମ କରାଯାଇଥିଲା। ମାତ୍ର ଆବଶ୍ୟକୀୟ ଶୀତଳ ଭଣ୍ଡାର ନ ଥିବାରୁ ତାହା ସଫଳ ହୋଇପାରି ନ ଥିଲା ବୋଲି ଉଦ୍ୟାନ କୃଷି ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.

WhatsApp chat