ଦାମ ବାବୁ ଏତେଦିନ ଚୁପଥିଲେ କାହିଁକି ?

69

ଭୁବନେଶ୍ଵର : ଚୋରି କରିବା ଅପରାଧ । ନିଜର ଫାଇଦା ପାଇଁ ଯିଏ ଚୋରକୁ ସୁରକ୍ଷା ଦେଲା ସିଏ ମଧ୍ୟ ଦୋଷୀ । ସେହି ନ୍ୟାୟରେ ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତଙ୍କୁ ସୁବିଧାବାଦୀ ବୋଲି କୁହାଗଲାଣି । କାରଣ ସ୍ୱାସ୍ଥ୍ୟ, କୃଷି ଓ ସମବାୟ ବିଭାଗରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ଜାଣି ମଧ୍ୟ ସେ ମୁହଁ ଖୋଲି ନଥିଲେ କାହିଁକି ? ମନ୍ତ୍ରୀ ପଦ ଯିବାପରେ ବିଶୋଦଗାର କରୁଥିବାରୁ ସାଧାରଣରେ ଚର୍ଚା ହେଉଛି ଦାମ ବାବୁ କଣ ମନ୍ତ୍ରୀ ପଦ ଚାଲିଯିବା ଭୟରେ ଚୁପ ରହିଥିଲେ ?

ତୁଣ୍ଡକୁ ନେଇ ସବୁ ବେଳେ ଚର୍ଚାରେ ରହୁଥିବା ବିଜେଡ଼ିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ସମୟ ଏବେ ଭଲନାହିଂ । ଯାହା କହୁଛନ୍ତି ବୁମେରାଂ ହେଉଛି । ଅନ୍ୟକୁ ଆକ୍ଷେପ କରି ଛନ୍ଦି ହେଉଛନ୍ତି ବିବାଦରେ । ଦିନେ ସେ ଅନ୍ୟମାନଙ୍କୁ ଶୃଙ୍ଖଳା ଜ୍ଞାନ ଶିଖାଉଥିଲେ । ଏବେ ନିଜେ ହୋଇଯାଇଛନ୍ତି ବିଶୃଙ୍ଖଳିତ । ହିତାହିତ ଭୁଲିଯାଇ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ଦଳୀୟ ନେତାଙ୍କ ଉପରେ ଦୁର୍ନୀତର ଆରୋପ ଲଗାଉଛନ୍ତି । ବୋଧ ହୁଏ ସେ ଭୁଲିଯାଇଛନ୍ତି ଦଳ ଓ ସରକାରର ମୁଖ୍ୟ ହେଉଛନ୍ତି ନବୀନ ପଟ୍ଟନାୟକ ।

ଅନ୍ୟପକ୍ଷରେ ଦାମବାବୁ ସବୁବେଳେ ପ୍ରବାଦ ପୁରଷ ବିଜୁ ପଟ୍ଟନାୟକଙ୍କୁ ଆଦର୍ଶ ବୋଲି କହନ୍ତି । ବିଜୁ ବାବୁ କଣ ଏହି ଶିକ୍ଷା ଦେଇଥିଲେ ପରୋକ୍ଷ ଟାର୍ଗେଟ କରି ଦଳ ଓ ସରକାରର ମୁଖିଆଙ୍କୁ କାଠଗଡାକୁ ଟାଣିବ ? କେବଳ ସେତିକି ନୁହେଁ ଦାମବାବୁ ଅନେକବାର ସ୍ଵାଭିମାନ କଥା କହନ୍ତି । ଯଦି ସେ ଅନୁଭବ କରୁଥିଲେ ଦଳ ତାଙ୍କୁ ଗୁରୁତ୍ଵ ଦେଉନି ତେବେ ସେ ଦଳ ଛାଡିଦେବା ଉଚିତ ଥିଲା ବୋଲି କେତେକ ମତ ଦେଉଛନ୍ତି । କାରଣ ଦଳୀୟ ଶୃଙ୍ଖଳାରେ ଦୁଇଟି କଥା ସମ୍ଭବ ନୁହେଁ । ପଦ-ପଦବୀ ମିଳୁ ବା ନ ମିଳୁ ଦଳପତିଙ୍କ ଅନୁଗତ ହେବା ଉଚିତ । କିନ୍ତୁ ଦାମବାବୁ ଏହାର ବ୍ୟତିକ୍ରମ ପରିଲକ୍ଷିତ ହେଉଛି । ପଦ ମିଳିଲେ ନେତା ଓ ସରକାର ଭଲ । ପଦ ଚାଲିଯିବା ପରେ ବହୁ କୋଟିର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି । ଏହା ଆଦୌ ଗ୍ରହଣୀୟ ମନେହେଉନାହିଁ । ଯଦି ମନ୍ତ୍ରୀଥିବା ବେଳେ ବିଭାଗ ଗୁଡିକରେ ହୋଇଥିବା ଦୁର୍ନୀତିର ସେ ପର୍ଦ୍ଦାଫାସ କରିଥାନ୍ତେ ତାହେଲେ ଲୋକେ କହିଥାନ୍ତେ ସ୍ପଷ୍ଟବାଦୀ । ସମୟ ଗଡିଯାଇଥିବାରୁ ବର୍ତମାନର ଅଭିଯୋଗ ଦାମବାବୁଙ୍କୁ ସୁବିଧାବାଦୀର ଆଖ୍ୟା ଦେବ । ଏଥିରେ ଦ୍ଵିମତ ନାହିଂ । ଖାଲି ସେତିକି ନୁହେଁ ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ଶାସ୍ତି ମଧ୍ୟ ମିଳିବ । ଏହା ଅନ୍ୟମାନଙ୍କ ପାଇଁ ଉଦାହରଣ ହେବ ବୋଲି କୁହାଯାଉଛି ।

Leave A Reply

Your email address will not be published.

WhatsApp chat