ଗ୍ୟାସ୍‌ ସିଲିଣ୍ଡର ଫାଟି ମାଆ-ଝିଅ ମୃତ

31

ଢେଙ୍କାନାଳ : ଭୁବନ ଏନ୍‌ଏସି ଓ୍ଵାର୍ଡ ନଂ ୩ର ଦୁର୍ଯୋଧନ ପୋଥାଳଙ୍କ ଘରେ ଗ୍ୟାସ୍‌ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ତାଙ୍କ ସ୍ତ୍ରୀ ମମତା ଓ ଝିଅ ଜ୍ୟୋତ୍ସ୍ନାଙ୍କର ମୃତ୍ୟୁ ହୋଇଛି । ଦୁର୍ଯୋଧନ ଗୁରୁତର ଆହତ ହୋଇ ଭୁବନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଶୁକ୍ରବାର ଭୋର ସମୟରେ ଦୁର୍ଯୋଧନ ଶୌଚ ପାଇଁ ପୋଖରୀକୁ ଯାଇଥିବା ବେଳେ ତାଙ୍କ ଝିଅ ଜ୍ୟୋତ୍ସ୍ନା ଗ୍ୟାସରେ ଚା କରିବାକୁ ଯାଇଥିଲେ । ହଠାତ୍ ଗ୍ୟାସରୁ ନିଆଁ ଲାଗି ତାଙ୍କ ଦେହରେ ନିଆଁ ଲାଗିଥିଲା ।  ଚିତ୍କାର ଶୁଣି ମା’ ମମତା ଉଦ୍ଧାର କରିବାକୁ ଯାଇଥିଲେ । ମାତ୍ର ସେ ବି ନିଆଁରୁ ଵର୍ତ୍ତି ପାରି ନଥିଲେ । ମାଆ ଓ ଝିଅ ଜୀବନ୍ତ ଦଗ୍ଧ ହୋଇଗଲେ । ବାପା ଦୁର୍ଯୋଧନ ଖବର ପାଇ ଘରେ ପହଂଚି ଉଦ୍ଧାର କରିବାକୁ ଯାଇ ଗୁରୁତର ଆହତ ହୋଇଛନ୍ତି । ପାଖରେ ଥିବା ସ୍ଥାନୀୟ ଲୋକମାନେ ଗୁରୁତର ଦୁର୍ଯୋଧନଙ୍କୁ ଭୂବନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।  ଖବରପାଇ ଭୁବନ ଅଗ୍ନିଶମ ବାହିନୀ, ପୋଲିସ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.

WhatsApp chat