ଗଜପତି ଜିଲା ଅଧିକ ପ୍ରଭାବିତ, ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ଯୋଗାଯୋଗ ବିଚ୍ଛିନ୍ନ

321

ଭୁବନେଶ୍ୱର,୧୧।୧୦: ବାତ୍ୟା ତିତ୍‌ଲି ଗୁରୁବାର ଭୋର୍‌ ୪ଟାରୁ ୫ଟା ମଧ୍ୟରେ ଗୋପାଳପୁରର ଦକ୍ଷିଣ-ପଶ୍ଚିମ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲାର ପଲାସାଠାରେ ଲ୍ୟାଣ୍ଡଫଲ୍‌ କରିଛି। ଲ୍ୟାଣ୍ଡଫଲ୍‌ ସମୟରେ ପବନର ବେଗ ସର୍ବାଧିକ ଘଣ୍ଟାପ୍ରତି ୧୬୫ କିମି ଥିଲା। ଏହାର ପ୍ରଭାବରେ ଗଜପତି  ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗଞ୍ଜାମ ଓ ଗଜପତି ଜିଲାରେ ରାସ୍ତାରେ ବଡ଼ବଡ଼ ଗଛ ଭାଙ୍ଗି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କେତେକ ଅଞ୍ଚଳରେ ବିଦ୍ୟୁତ୍‌ ଖୁଣ୍ଟ ମଧ୍ୟ ଭାଙ୍ଗି ପଡ଼ିଛି।

ତିତ୍‌ଲି ଗୋପାଳପୁରରେ ତାଣ୍ଡବ ଆରମ୍ଭ କରିଛି। ଏଠାରେ ପବନର ବେଗ ଘଣ୍ଟାପ୍ରତି ୧୨୬ କିଲୋମିଟର ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାତ୍ୟାର ପ୍ରଭାବରେ ଗଞ୍ଜାମ, ଗଜପତି ଏବଂ ପୁରୀ ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ଗୁରୁବାର ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିବ। ଆସନ୍ତା ୫ ଘଣ୍ଟା ମଧ୍ୟରେ ବାତ୍ୟା ଉତ୍ତର-ପୂର୍ବ ଦିଗରେ ଗତି କରି ପଶ୍ଚିମବଙ୍ଗରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ରାଜ୍ୟର ଉତ୍ତର-ପୂର୍ବ ଅଞ୍ଚଳରେ ବନ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି।

ବାତ୍ୟା ତିତଲି ଗୁରୁବାର ସକାଳ ୫.୩୦ରେ ସ୍ଥଳଭାଗ ଛୁଇଁଛିି। ଏହି ସମୟରେ ଗୋପାଳପୁରଠାରେ ପବନର ବେଗ ଘଣ୍ଟା ପ୍ରତି ୧୦୨କିମି ରହିଥିଲା। ବ୍ରହ୍ମପୁର ସହରରେ ତିତଲିର ପ୍ରଭାବ ଦେଖିବାକୁ ମିଳିଛି। ପବନ ମାଡ଼ରେ ସହରର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଉପରେ ପଡିଛି। ଫଳରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ବିଶେଷକରି ମେଡିକାଲ ରାସ୍ତା, ଅନ୍ଧ ପସରା ରାସ୍ତା, ଷ୍ଟେସନ ରାସ୍ତା, ନିଲକଣ୍ଠେସର ମନ୍ଦିର ରାସ୍ତା ଏବଂ ଅନ୍ୟାନ୍ୟ ଜନବସତି ଅଞ୍ଚଳରେ ମଧ୍ୟ ଗଛ ଭାଙ୍ଗି ଯାଇଛି। ଅଗ୍ନିଶମ ବିଭାଗ, ବ୍ରହ୍ମପୁର ମହାନଗର ନିଗମ ଏବଂ ବନ ବିଭାଗ ପକ୍ଷରୁ ରାସ୍ତା ସଫା କରାଯାଉଛି।

WhatsApp chat