କେନ୍ଦ୍ର ସରକାରଙ୍କ ନୂଆ ଖଣିନୀତି ପାଇଁ ଓଡିଶା ବରବାଦ୍ ହୋଇଛି

ନିଯୁକ୍ତି ସୁଯୋଗ ବାଧାପ୍ରାପ୍ତ ହେବାରୁ ବେକାରଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଶ୍ରମିକଙ୍କୁ ମିଳୁନି କାମ ।

2,062
ଭୁବନେଶ୍ଵର : ଓଡିଶାର ବେକାରୀ ବଢୁଛି । ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି ଶ୍ରମିକ । କେନ୍ଦ୍ର ସରକାରଙ୍କ ନୂଆ ଖଣିନୀତି ପାଇଁ ଓଡିଶା ବରବାଦ୍ ହୋଇଛି । ନିଯୁକ୍ତି ସୁଯୋଗ ବାଧାପ୍ରାପ୍ତ ହେବାରୁ ବେକାରଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଶ୍ରମିକଙ୍କୁ ମିଳୁନି କାମ । ଫଳରେ ସେମାନେ ରାଜ୍ୟ ବାହାରକୁ ଦାଦନ ଖଟିବା ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି । ରାଜ୍ୟର ଏହିଭଳି ପରିସ୍ଥିତି ସୃଷ୍ଟି ଲାଗି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ସଂପୂର୍ଣ୍ଣ ଦାୟୀ ବୋଲି ବୁଦ୍ଧିଜୀବି ମାନେ ମତ ଦେଉଛନ୍ତି । ଆହୁରି ଅଭିଯୋଗ ଉଠୁଛି, ଏ ସରକାର ଖଣି ମାଲିକଙ୍କ ସ୍ଵାର୍ଥ ନିମନ୍ତେ ଖଣିନୀତିରେ ପରିବର୍ତନ ଆଣି ରାଜ୍ୟ ରାଜକୋଷକୁ ରାଜସ୍ୱ ଆସିବାର ବାଟ ବନ୍ଦ କରିଦେଇଛି ।
Image result for mining policy
ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ରାଜ୍ୟ ସରକାର ଏହି ସମସ୍ୟା ସମାଧାନ କରିବାରେ ବିଫଳ ହୋଇଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ବିଜେପିର ଶୀର୍ଷ ନେତାମାନେ ରାଜ୍ୟରେ କ୍ଷମତାସୀନ ବିଜେଡ଼ି ସରକାର ଉପରେ କେବଳ ଆରୋପ ଲଗାଇଥିବା ବେଳେ କେଉଁ ନେତା ରାଜ୍ୟ ସରକାରଙ୍କୁ ଜବାବ୍ ମାଗୁଛି । ଆଉ କିଏ କେନ୍ଦ୍ର ସରକାର ଦେଇଥିବା ବିଭିନ୍ନ ଯୋଜନା ବାବଦ ଅର୍ଥର ମାଗୁଛି ହିସାବ । କିନ୍ତୁ କେହି କହୁନାହାନ୍ତି କେନ୍ଦ୍ର ସରକାରଙ୍କ ଖଣିନୀତି ପାଇଁ ଓଡିଶା ବିପୁଳ କ୍ଷତି ସହିଛି । ନୂଆ ଖଣିନୀତି ଖଣି ମାଲିକଙ୍କୁ ଦେଇଛି ଫାଇଦା । ଏମାନଙ୍କ ଆୟ ବୃଦ୍ଧି କରିବା ନିମନ୍ତେ ସୁଯୋଗ ସୃଷ୍ଟି କରିବା ପଛରେ ବିଜେପିର କିଛି ମହତ୍ଵ ଉଦ୍ଦେଶ୍ୟ ଥିଲା କି ? କେଉଁ ନେତା ଖଣି ମାଲିକଙ୍କ ସପକ୍ଷରେ ଭିତିରି ବୁଝାମଣା କରିଥିଲେ ? ଏପରି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । ବିଜେପିର କୁହାଳିଆ ନେତାମାନେ ଏହାର ଉତ୍ତର ରାଜ୍ୟବାସୀଙ୍କ ନିକଟରେ ରଖିବେ କି ?
ବୁଦ୍ଧିଜୀବୀ ମହଲରେ ହେଉଥିବା ଆଲୋଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୃତୀୟ ପାଳି ସରକାର ଏକ ଖଣିନୀତି ଚୁଡାନ୍ତ କରିଥିଲେ । ଯେଉଁଥିରେ ବ୍ୟବସ୍ଥା ଥିଲା ଖଣି ମାଲିକମାନେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରିବେ । ଯେଉଁମାନେ କରିବେନି ସେମାନଙ୍କ ଅବଧି ଶେଷ ହୋଇଥିବା ଖଣି ଲିଜ୍’ର ନବୀକରଣ ହେବନାହିଁ । ଏହି ନିୟମ ରାଜ୍ୟରେ କାରଖାନା ନବସାଇ ଦୀର୍ଘଦିନ ଖଣି ଉତ୍ତୋଳନ କରିଚାଲିଥିବା ସଂସ୍ଥା ବା ବ୍ୟକ୍ତିବିଶେଷଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କଲା । ଗଳାବାଟ ଦେଇ ଖସି ଯିବାକୁ ଯୋଡିହେଲେ ଖଣି ମାଲିକ । ଯାହା ଶୁଣିବାକୁ ମିଳୁଛି ଓଡିଶାର ଜଣେ ଯୁବନେତାଙ୍କୁ ମାଧ୍ୟମ କରି କେନ୍ଦ୍ର ସରକାରଙ୍କୁ ପ୍ରଭାବିତ କରିବାରେ ଖଣି ମାଲିକମାନେ ସଫଳ ହେଲେ । ଏହି ଯୁବନେତା ଜଣକ କି ଗଦ ଶୁଙ୍ଘାଇଲେ କେଜାଣି ମୋଦୀ ସରକାର କ୍ଷମତାକୁ ଆସିବା ପରେ ନୂଆ ଖଣିନୀତି କଥା ଚିନ୍ତା କଲେ । ଏହା ମାଧ୍ୟମରେ ଖଣି ମାଲିକମାନଙ୍କୁ ସୁବିଧା ଦେବାର ବାଟ ଖୋଲିଲା । ଆଉ ସାଧାରଣରେ ପ୍ରଚାର କରାଗଲା କେନ୍ଦ୍ର ସରକାରଙ୍କ ନୂଆ ଖଣିନୀତି ଅନୁସାରେ ଲିଜ୍ ଅବଧି ସରୁଥିବା ଖଣିର ନବୀକରଣ ହେବନାହିଁ । ଏସବୁ ନିଲାମ କରାଯିବ । ଏ ବାବଦରେ ଖଣିଜ ସମ୍ପଦ ଭରା ରାଜ୍ୟକୁ ମିଳିବ ଲକ୍ଷ ଲକ୍ଷ କୋଟି ଟଙ୍କାର ରାଜସ୍ୱ । ରାଜ୍ୟରେ ଆଉ ଅଭାବ ରହିବନି । ଚାରିଆଡେ ଟଙ୍କାର ପାହାଡ ସୃଷ୍ଟି ହେବ । ହେଲେ କେନ୍ଦ୍ର ସରକାରଙ୍କ ପ୍ରକୃତ ଉଦ୍ଦେଶ୍ୟକୁ କେହି ବୁଝିପାରିଲେନି । ବହୁ ପରିମାଣର ରାଜସ୍ୱ ମିଳିବା ଆଶାରେ ରାଜ୍ୟଗୁଡିକ ଚୁପ ରହିଲେ । ହେଲେ କିଛି ଫାଇଦା ହେଲାନି । ଖଣି ମାଲିକ ହେଲେ ମାଲେମାଲ । କେନ୍ଦ୍ର ସରକାରଙ୍କ ନୂଆ ଖଣିନୀତି ଯୋଗୁ ଓଡିଶା ସରକାରଙ୍କ ଖଣିନୀତି ଅକାମି ହୋଇଗଲା । କେନ୍ଦ୍ରୀୟ ଖଣିନୀତି ବ୍ୟବସ୍ଥାରେ ଲିଜ୍ ଅବଧି ପୁରି ଯାଇଥିବା ଖଣିର ଆଉ ନିଲାମ କରିବାକୁ ପଡିଲାନି । କ୍ୟାପଟିକ / ନନ-କ୍ୟାପଟିକ ନାଁ’ରେ ଖଣି ମାଲିକ ବା ସଂସ୍ଥାମାନେ ୧୫ବର୍ଷ ଏବଂ ୧୦ ବର୍ଷ ଖଣିଜ ଉତ୍ତୋଳନ ପାଇଁ ସୁଯୋଗ ପାଇଲେ । ଯାନ୍ତ୍ରିକକରଣ ଯୋଗୁ ଶ୍ରମିକଙ୍କୁ କାମ ମିଳିଲାନି । ବେକାରି ବଢିଚାଲିଲା ।
ଯଦି ରାଜ୍ୟ ସରକାରଙ୍କ ଖଣିନୀତି କାର୍ଯ୍ୟକାରୀ ହୋଇଥାନ୍ତା, ତାହେଲେ ଲିଜ୍ ଅବଧି ପୁରିଯାଇଥିବା ଖଣିର ମାଲିକ ବା ସଂସ୍ଥାମାନେ ନବୀକରଣ ପାଇଁ କାରଖାନା ବସାଇବାକୁ ବାଧ୍ୟ ହୋଇଥାନ୍ତେ । ବେକାରୀଙ୍କୁ ମିଳିଥାନ୍ତା ନିଯୁକ୍ତି । ଶ୍ରମିକ ପାଇଥାନ୍ତେ କାମ । ରାଜ୍ୟ ରାଜକୋଷକୁ ଆସିଥାନ୍ତ ଲଗାତର ରାଜସ୍ୱ । ଏପରି କ୍ଷତି କେବଳ ଓଡିଶାର ନୁହେଁ ସବୁ ଖଣିଜ ସମ୍ପଦ ଭରା ରାଜ୍ୟ ସହିଲେ । ଏବେ ବିଜେପି ନେତାମାନେ କଣ୍ଠ ଫଟାଇ ଚିତ୍କାର କରୁଛନ୍ତି ରାଜ୍ୟ ସରକାର ସବୁ କ୍ଷେତ୍ରରେ ବିଫଳ । କିନ୍ତୁ କେନ୍ଦ୍ର ସରକାର ପାଇଁ ଯେଉଁ ଅପୂରଣୀୟ କ୍ଷତି ଘଟିଛି ସେ ସମ୍ପର୍କରେ ପଦୁଟିଏ କେହି କହୁନାହାନ୍ତି କାହିଁକି ? କେବେ ହିସାବ ନେଇଛନ୍ତି ଓଡିଶା କେତେ ପାଇଲା , କେତେ ହରାଇଲା ? ଏହାର ହିସାବ କେନ୍ଦ୍ରରେ ଶାସନ କ୍ଷମତାରେ ରହିଥିବା ଦଳକୁ ରାଜ୍ୟବାସୀ ମାଗିବା ଉଚିତ୍ । ଆଉ ଏହି ଦଳର ନେତାମାନଙ୍କୁ ପଚାରିବା ଦରକାର ଏଥର ଶାସନ କ୍ଷମତାକୁ ଆସିଲେ ଦେଉଥିବା ପ୍ରତିଶ୍ରୁତି ପାଳନ କରିବ ନା ଓଡିଶାକୁ ବିକିଦେବାର ଯୋଜନା କରିଛ ?

Leave A Reply

Your email address will not be published.

WhatsApp chat