କଂଗ୍ରେସରୁ ପ୍ରାର୍ଥୀ ପାଇଁ ୨ ଜଣ ପ୍ରାକ୍‌ ପ୍ରାର୍ଥୀ ସୁପାରିସ କରାଯାଇଛି…

ଜିଲା କଂଗ୍ରେସ ସଭାପତି ଡ଼ା. ତ୍ରିନାଥ ବେହେରା ଓ ହାଇଟେକ ଗ୍ରୁପ୍‌ ମୁଖ୍ୟ ତିରୁପତି ପାଣିଗ୍ରାହୀଙ୍କ

2,384
ବ୍ରହ୍ମପୁର ଲୋକ ସଭା କ୍ଷେତ୍ରରେ ଆଗାମୀ ନିର୍ବାଚନ ପାଇଁ ଗଞ୍ଜାମ ଜିଲା କଂଗ୍ରେସ ପକ୍ଷରୁ ଜିଲା କଂଗ୍ରେସ ସଭାପତି ଡ଼ା. ତ୍ରିନାଥ ବେହେରା ଓ ହାଇଟେକ ଗ୍ରୁପ୍‌ ମୁଖ୍ୟ ତିରୁପତି ପାଣିଗ୍ରାହୀଙ୍କ ନାମ ପଠାଯାଇଛି। ପ୍ରାକ୍‌ ପ୍ରାର୍ଥୀ ଚୟନ କରାଯାଇଛି। ଦୁଇଜଣଙ୍କ ନାମ ପ୍ରଦେଶ କଂଗ୍ରେସ କମିଟି (ପିସିସି)କୁ ସୁପାରିସ କରାଯାଇଛି। ପିସିିସି ନିର୍ବାଚନ କମିଟି ଯାଞ୍ଚ କରିବା ପରେ ଏଆଇସିସିକୁ ପଠାଇବ। ଯିଏ ଉପଯୁକ୍ତ ପ୍ରାର୍ଥୀ ହେବେ ତାଙ୍କ ନାମ ଉପରେ ଦିଲ୍ଲୀରେ ମୋହର ଲାଗିବ। ତେବେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାନସଭାର ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରା ଲୋକ ସଭା ନିର୍ବାଚନ ଲଢ଼ିବାକୁ ଆଶାୟୀ ଥିବାରୁ ସେ ଆଗୁଆ ଆବେଦନ କରିଥିବା ସତ୍ତ୍ବେ ତାଙ୍କ ନାମ ବାଦ୍‌ ଦିଆଯାଇଛି। ସୂଚନାଯୋଗ୍ୟ, ଏହି ଲୋକ ସଭା କ୍ଷେତ୍ରରେ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଚିକିଟି ଓ ଦିଗପହଣ୍ଡି ଏବଂ ଗଜପତି ଜିଲାର ମୋହନା ଓ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି।
ସ୍ବାଧୀନତା ପରେ ୧୯୫୧-୫୨ରୁ ୨୦୧୪ ସୁଦ୍ଧା ହୋଇଥିବା ୧୬ଟି ନିର୍ବାଚନରେ ସର୍ବାଧିକ ୧୧ କଂଗ୍ରେସ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ଥରେ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆର. ଜଗନ୍ନାଥ ରାଓ ଲଗାତର ୫ ଥର ଜିତିଥିଲେ। ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଜୟନ୍ତୀ ପଟ୍ଟନାୟକ, ଅନନ୍ତ ତ୍ରିପାଠୀ ଶର୍ମା ଥରେ ଲେଖାଏ ଏବଂ ଗୋପୀନାଥ ଗଜପତି ଲଗାତର ଦୁଇଥର ନିର୍ବାଚିତ ହୋଇଥିଲେ।
ପ୍ରଥମ ନିର୍ବାଚନରେ କମ୍ୟୁନିଷ୍ଟ ପ୍ରାର୍ଥୀ ବିଜୟ ଚନ୍ଦ୍ର ଦାସ, ଦ୍ୱିତୀୟ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଉମା ଚରଣ ପଟ୍ଟନାୟକ ଏବଂ ୧୯୯୯ ନିର୍ବାଚନରେ ବିଜେଡି ସହ ମେଣ୍ଟ ଥିବାରୁ ଭାଜପା ପ୍ରାର୍ଥୀ ଅନାଦି ସାହୁ ଏମ୍‌ପି ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ ଓ ୨୦୧୪ ନିର୍ବାଚନରେ ବିଜେଡିରୁ ସିଦ୍ଧାନ୍ତ ମହାପାତ୍ର ନିର୍ବାଚିତ ହୋଇଛନ୍ତି ।
ଏହି ଲୋକ ସଭା କ୍ଷେତ୍ରରେ କଂଗ୍ରେସ ସଂଗଠନ ପୂର୍ବେ ସୁଦୃଢ଼ ଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ତଃ କନ୍ଦଳ ଓ ଗୋଡଟଣା ନୀତି ଯୋଗୁ ପୁରୁଣା ଦଳ ଜାତୀୟ କଂଗ୍ରେସ ସଂଗଠନ ଦୁର୍ବଳ ହୋଇଯାଇଛି। ଅପରପକ୍ଷେ ଚନ୍ଦ୍ରଶେଖର ସାହୁ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବାରୁ ଦଳ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଭଳି ସ୍ଥିତିରେ ୨୦୧୯ ନିର୍ବାଚନ କଂଗ୍ରେସ ପକ୍ଷରେ ଚ୍ୟାଲେଞ୍ଜ ହେବାର ରାଜନୈତିକ ଚର୍ଚ୍ଚା ଚାଲିଛି। ଯେଉଁ ଦୁଇଜଣଙ୍କ ନାମ ସୁପାରିସ କରାଯାଇଛି ଉଭୟେ ୭ ଯାକ ବିଧାନସଭା ସେଗ୍‌ମେଣ୍ଟ ଭୋଟରଙ୍କ ସହ ସେତେଟା ପରିଚିତ ନ ଥିବାରୁ ଯାହାକୁ ବି ପ୍ରାର୍ଥୀ କରାଯିବ ସେ ସମସ୍ୟାର ସମ୍ମୁଖୀନ ହେବା ଜଣାପଡୁଛି ।

Leave A Reply

Your email address will not be published.

WhatsApp chat