ଉଗ୍ର ରୂପ ଧାରଣ କରୁଛି ‘ତିତଲି’

ଆସନ୍ତା ୧୦ ଏବଂ ୧୧ ତାରିଖରେ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ

481

ଭୁବନେଶ୍ୱର: ଉଗ୍ର ରୂପ ଧାରଣ କରୁଛି ‘ତିତଲି’ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଭୟଙ୍କର ବାତ୍ୟାରେ ପରିଣତ ହେବ । ଏବେ ‘ତିତଲି’ ଗୋପାଳପୁର ଠାରୁ ୫୧୦ କିଲୋମିଟର ଦୂରରେ ରହିଛି । ଏହା କଳିଙ୍ଗପଟନମ ଏବଂ ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଛୁଇଁବା ବେଳକୁ ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବ । ପାଣିପାଗ ବିଭାଗର ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନାଯାୟୀ, ବାତ୍ୟା ‘ତିତଲି’ ପ୍ରଭାବରେ ରାଜ୍ୟରେ ଆଜି ରାତିରୁ ବର୍ଷା ଆରମ୍ଭ ହୋଇଯିବ । ଆସନ୍ତା ୧୦ ଏବଂ ୧୧ ତାରିଖରେ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ । କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ରାଜ୍ୟର ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଜପତି ଓ ଗଞ୍ଜାମ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହିସବୁ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ଏହା ପରଦିନ ଅର୍ଥାତ୍ ଗୁରୁବାର ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ । ୧୧ ତାରିଖରେ ଗଜପତି, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, କଟକ, ପୁରୀ, ଯାଜପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର, ରାୟଗଡ଼ା, କୋରାପୁଟ, କନ୍ଧମାଳ, କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏହି ୧୭ଟି ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ନୋଟିସ ଜାରି କରିଛି ପାଣିପାଗ ବିଭାଗ ।

ବାତ୍ୟା ‘ତିତଲି’ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଲାଇଥିବା ବେଳେ ଆସନ୍ତାକାଲି ଠାରୁ ରାଜ୍ୟର ୪ଟି ଜିଲ୍ଲାରେ ସମସ୍ତ କଲେଜ ଓ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସବୁ ଜିଲ୍ଲା ଗୁଡିକ ହେଲା ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁର । ଏହାସହ ଏହି ସବୁ ଜିଲ୍ଲାରେ ଅଙ୍ଗନୱାଡିକୁ ମଧ୍ୟ ବନ୍ଦ ରଖିବାକୁ ସରକାର କହିଛନ୍ତି ।

ବାତ୍ୟା ତିତଲିକୁ ନେଇ ରାଜ୍ୟ ସଚିବାଳୟରେ ଆଜି(ମଙ୍ଗଳବାର) ଏକ ସମୀକ୍ଷା ବୈଠକ ବସିଥିଲା। ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇ କହିଛନ୍ତି ଯେ ଆସନ୍ତାକାଲି ଠାରୁ ବାତ୍ୟାରେ ସର୍ବାଧିକ ପ୍ରଭାବିତ ହେବାକୁ ସମ୍ଭାବନା ଥିବା ଉପରୋକ୍ତ ଜିଲ୍ଲାର ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ କରିବାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କାଲି ପରିସ୍ଥିତି ଦେଖିବା ପରେ ରାଜ୍ୟର ଅନ୍ୟ ଜିଲ୍ଲା କଥା ବିଚାରକୁ ନିଆଯିବ ବୋଲି ସେ କହିଛନ୍ତି ।

ଛୁଟି ବାତିଲ (ଅଗ୍ନିଶମ ସଂସ୍ଥା କର୍ମଚାରୀଙ୍କ ପାଇଁ )
ଓଡିଶା ଆଡକୁ ମୁହାଁଇଥିବା ବାତ୍ୟା ‘ତିତଲି’ର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନମାନଙ୍କୁ ଏବଂ ଆଶ୍ରୟସ୍ଥଳୀର ସୁପର ଭାଇଜରମାନଙ୍କୁ ସଜାଗ ରହିବାପାଇଁ କୁହାଯାଇଛି । ଆବଶ୍ୟକସ୍ଥଳେ ତଳିଆ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତର କରିବା ଓ ରିଲିଫ୍ ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ମୋଟ ୮୭୯ଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ରହିଛି ବୋଲି ଯୁଗ୍ମ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଭାତ ମହାପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

WhatsApp chat