ଅଧିକ ଶକ୍ତିଶାଳୀ ହୋଇପଡିଛି ତିତଲି

ରାଜ୍ୟରେ ଏହା ବ୍ୟାପକ କ୍ଷୟକ୍ଷତି ଘଟାଇବ

1,137

ଭୁବନେଶ୍ୱର: ଅଧିକ ଶକ୍ତିଶାଳୀ ହୋଇପଡିଛି ତିତଲି । ରାଜ୍ୟରେ ଏହା ବ୍ୟାପକ କ୍ଷୟକ୍ଷତି ଘଟାଇବ । ଆସନ୍ତାକାଲି ଭୋର ସାଢେ ୫ଟା ତିତଲି ସ୍ଥଳଭାଗ ଛୁଇଁବ । ସମୁଦ୍ର ଭିତରେ ଅଧିକ ଶକ୍ତିଶାଳୀ ହୋଇପଡିଛି ତିତଲି । ଧୀରେ ଧୀରେ ଏହା ଅଧିକ ଶକ୍ତିଶାଳୀ ହେଉଛି । ସ୍ଥଳଭାଗ ଛୁଇଁବା ମାତ୍ରେ ୧୬୫କିଲୋମିଟର ବେଗରେ ପବନ ବହିବ ।

ବାତ୍ୟାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

ତିତଲି ପ୍ରଭାବିତ ହେବାକୁ ଥିବା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ୫ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆବଶ୍ୟକୀୟ ପଦକ୍ଷେପ ନବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏହି ସବୁ ଜିଲ୍ଲାର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସମସ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  ଗଞ୍ଜାମ ଜିଲ୍ଲାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି ।

ଭେରି ସିଭିୟର ସାଇକ୍ଲୋନିକ ବା ଅତିଭୟଙ୍କର ବାତ୍ୟାର ରୂପ ନେଉଛି ତିତଲି । ଏବେ ଏହା ଗୋପାଳପୁର ଠାରୁ ୩୫୦ କିଲୋମିଟର ଦୂରରେ ରହିଥିବା ବେଳେ କଳିଙ୍ଗପଟ୍ଟନମ ଠାରୁ ୩୪୦କିଲୋମିଟର ଦୂରରେ ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ଘଂଟାପ୍ରତି ୧୦ କିଲୋମିଟର ବେଗରେ ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ତିତଲି  । କଳିଙ୍ଗପଟ୍ଟନମ ଓ ଗୋପାଳପୁର ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ।

ଭୋର ସାଢେ ୫ଟାରେ ଉପକୂଳ ଛୁଇଁବ

ଳଭାଗ ଛୁଇଁବା ମାତ୍ରେ ବାତ୍ୟାର ବେଗ ଘଣ୍ଟାପ୍ରତି ୧୬୫ କିଲୋମିଟର ରହିବ । ଏହାର ପ୍ରଭାବ ପାଇଁ ୟେଲୋ, ଅରେଞ୍ଜ ଓ ରେଡ୍ ୱାର୍ଣ୍ଣିଂ ଘୋଷଣା କରାଯାଇଛି । ଗଂଜାମ, ଗଜପତି, ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡା ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଅଞ୍ଚଳରେ ପ୍ରବଳ ବର୍ଷା ହେବ ।

ରାଜ୍ୟ ସରକାର ସଜାଗ

ସେହିପରି ବାତ୍ୟାକୁ ଦୃଷ୍ଟିରେ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ । ସେହିପରି ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ମଧ୍ୟ ସଜାଗ ରହିଛି । ଆବଶ୍ୟକ ହେଲେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନିଆଯାଇଛି । ୩ଶହ ବୋଟ୍ ମଧ୍ୟ ସଜାଗ ରହିଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଆବଶ୍ୟକ ସ୍ଥଳରେ ଅନ୍ୟ ଅଞ୍ଚଳର ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କରିବାକୁ ନିଷ୍ପତ୍ତି ନିଆଯିବ । ବାତ୍ୟା ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ବାରଣ ରହିଛି । ସ୍ୱାସ୍ଥ୍ୟସେବା, ପାନୀୟଜଳ ଯୋଗାଣ ଅବ୍ୟାହତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ବର୍ଷା ଯୋଗୁ ସହରର ଅସ୍ଥାୟୀ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପମ୍ପସେଟ୍ ରଖିବା, ତୁରନ୍ତ ବିଦ୍ୟୁତ ସଂଯୋଗ  ପୁନଃସ୍ଥାପନ ପାଇଁ ଆବଶ୍ୟକ ସରଞ୍ଜାମ ଓ ମାନବସମ୍ବଳ ପ୍ରସ୍ତୁତ ରଖିବାକୁ ସମ୍ପୃକ୍ତ ବିଭାଗକୁ କୁହାଯାଇଛି । ବିପର୍ଯ୍ୟୟ ବେଳେ ଶୂନ୍ୟମୃତ୍ୟୁ ସଂକ୍ରାନ୍ତ ରାଜ୍ୟ ସରକାରଙ୍କ ନିୟମାବଳୀ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

୧୯ଟି ଜିଲ୍ଲା ପ୍ରଭାବିତ

ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର, ରାୟଗଡା, କୋରାପୁଟ, କନ୍ଧମାଳ, ବୌଦ୍ଧ, କେନ୍ଦୁଝର, ମୟୂରଭଞ୍ଜ ଆଦି ୧୯ଟି ଜିଲ୍ଲାରେ ବର୍ଷା ହେବାର ଆଶଙ୍କା ରହିଥିବାରୁ ସଜାଗ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍ ଟିମ୍ ସଜାଗ

ବାତ୍ୟାକୁ ଦୃଷ୍ଟିରେ ରଖି ଉଦ୍ଧାର କାର୍ଯ୍ୟ ପାଇଁ ଓଡ୍ରାଫ୍ ଓ ଏନଡିଆରଏଫ ଟିମକୁ ସଜାଗ ରଖାଯାଇଛି । ରାଜ୍ୟରେ ୮୭୯ଟି ବାତ୍ୟା ଆଶ୍ରୟସ୍ଥଳକୁ ପ୍ରସ୍ତୁତ ରଖାଯାଇଛି । ଉଦ୍ଧାର ପାଇଁ 3ଶହ ବୋଟ୍ ପ୍ରସ୍ତୁତ ରଖାଯାଇଥିବା ବେଳେ ଅଗ୍ନିଶମ ବାହିନୀକୁ ମଧ୍ୟ ସଜାଗ ରଖାଯାଇଛି ।

ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଛୁଟିରେ ଥିଲେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଝଡବାତ୍ୟାର ମୁକାବିଲା ପାଇଁ ସବୁ ଜିଲ୍ଲାର ଟିମ୍ ସଜାଗ ରହିବେ ।

ଆସନ୍ତାକାଲି ରାତି ସୁଦ୍ଧା ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବ । ପରେ ୧୨ ତାରିଖରେ ଉତ୍ତର ଓଡିଶାର ଅନେକ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି । ୧୨ ତାରିଖ ବେଳକୁ ବାତ୍ୟା ଦୁର୍ବଳ ହୋଇ ଡିପ୍ ଡିପ୍ରେସନ୍ ଏବଂ ପରେ ଡିପ୍ରେସନରେ ପରିଣତ ହେବ ।

Leave A Reply

Your email address will not be published.

WhatsApp chat